ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସିଇ: ୨ ମହିଳା ଶ୍ରମିକ ମୃତ, ୫ ଗୁରୁତର

ସଜନାଗଡ଼, ୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୯ନଂ. ରାଜ୍ୟ ରାଜପଥର ସତ୍‌ସଙ୍ଗବିହାର ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ ଟାଟା ଏସିଇ ଓଲଟି ପଡ଼ିବାରୁ ୨ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୫ ଗୁରୁତର ହୋଇଛନ୍ତି।
ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତ ତେଣ୍ଡାମୁଣ୍ଡ ଘୁରା ଗ୍ରାମରୁ ଏକ ଟାଟା ଏସିଇ (ଓଡି ଓ୧ ଓ୍ବାଇ-୯୬୪୮) ୧୨ରୁ ଊର୍ଦ୍ଧ୍ୱ ଶ୍ରମିକ(ମହିଳା, ପୁରୁଷ)ଙ୍କ ସହ ମିକ୍ସରମେଶିନ ଲୋଡ଼କରି ନୀଳଗିରି ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।