ଭାରିଯାନ ଚଳାଚଳ ବନ୍ଦ ଦାବି :ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ଆଲୋଚନା ବୈଠକ

ଛତ୍ରପୁର,୧୬ା୭(ଡି.ଏନ.ଏ)-ଛତ୍ରପୁର ବ୍ଲକ କାଳିଆବାଲି ଛକଠାରୁ ମାଟିଖାଲ ରାସ୍ତାରେ ଗୋପାଳପୁର ପୋର୍ଟର ଭାରୀଯାନ ଚଳାଚଳ ବନ୍ଦ ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଶନିବାର ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋମବାର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ବୈଠକ ବସିଥିଲା। ଏଥିରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଅଧ୍ୟକ୍ଷତା କରିଥିଲେ। କାଳିଆବାଲି ଛକରୁ ମାଟିଖାଲ ରାସ୍ତାରେ ପୋର୍ଟକୁ ଦୈନିକ ଶତାଧିକ ଆଇରନ୍‌ ଓର୍‌ ବୋଝେଇ ଭାରିଯାନ ଯାତାୟାତ କରିବା ଫଳରେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହୁଛି। ଉକ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଗଲାଣି। ବର୍ତ୍ତମାନ ଜାତୀୟ ରାଜପଥରେ ଅଟକି ଥିବା ଶତାଧିକ ଆଇରନ୍‌ ଓର୍‌ ଭାରିଯାନ ଗାଡିକୁ ୨ ଦିନ ମଧ୍ୟରେ କେବଳ ରାତିରେ ପୋର୍ଟକୁ ଛଡାଯିବ। ୨୨ ତାରିଖରେ ପୁଣି ବୈଠକ ବସି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା ା ତେବେ ସେ ପର୍ଯ୍ୟନ୍ତ ଆଉ ଭାରିଯାନ ଆସିବା ଉପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ା କାଲିଆବାଲି-ମାଟିଖାଲ ରାସ୍ତା ପ୍ରଶସ୍ତ ହେବ। ଏଥିପାଇଁ ଆବଶ୍ୟକୀୟ ଅର୍ଥ ପୋର୍ଟ କର୍ତ୍ତୃପକ୍ଷ ଦେବେ ା ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ସହାୟତା ନେଇ ପୋର୍ଟ ଏକ ଡିପିଆର ପ୍ରସ୍ତୁତ କରିବେ ା ଆଗାମୀ ବୈଠକ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ବୈଠକରେ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ କଲେଜ ଓ ସ୍କୁଲ ପିଲାମାନଙ୍କୁ ଗାଡିରେ ନେବା ଆଣିବା, ସ୍ବାସ୍ଥ୍ୟ ଶିବିର ଓ ଆଲୋକ ବ୍ୟବସ୍ଥା ଆଇଆରଇ ପକ୍ଷରୁ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶ, ଚମାଖଣ୍ଡି ଥାନା ଆଇଆଇସି ସହଦେବ ମହାପାତ୍ର, କଣମଣା ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡୀ, ଦିଲେଶ୍ୱର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ନାଏବ ସରପଞ୍ଚ, କ୍ରିଷ୍ଣା ରେଡ୍ଡୀ, ଆଇଆରଇର ଜି. କେ ନାୟକ, ସୁରେଶ ଚନ୍ଦ୍ର ପାତ୍ର, ପୋର୍ଟ କର୍ତ୍ତୃପକ୍ଷ ବୈଠକରେ ଉପସ୍ଥିତ ଥିଲେ ା

Share