Categories: ଖେଳ

ଭାରୋତ୍ତୋଳକ ରବି କୁମାରଙ୍କୁ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୫ା୧୧- ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଓଡ଼ିଶାର ଷ୍ଟାର୍‌ ଭାରୋତ୍ତୋଳକ ରବି କୁମାର କାଟଲୁଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡ ହୋଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଡାଇରେକ୍ଟର ଜେନେରାଲ ନବିନ ଅଗ୍ରଓ୍ବାଲ ମଙ୍ଗଳବାର ବିଧିବଦ୍ଧ ଏହି ସୂଚନା ଦେଇଛନ୍ତି। ରବି କୁମାର ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୯କେଜି ଶ୍ରେଣୀରେ ଟାଇଟଲ ଜିତିଥିଲେ। ସେହିଭଳି ୨୦୧୪ ଗ୍ଲାସ୍‌ଗୋ ସଂସ୍କରଣରେ ସେ ୭୭ କେଜି ବିଭାଗରେ ଏକ ରୌପ୍ୟ ପଦକ ଲାଭ କରିଥିଲେ। ରବି କୁମାରଙ୍କ ବ୍ୟତୀତ ପ୍ରତିଯୋଗିତା ବାହାରେ ହୋଇଥିବା ଡୋପ୍‌ ଟେଷ୍ଟରେ ଧରାପଡ଼ି ଥିବା ଅନ୍ୟ ୪ ଭାରତୀୟ ଭାରୋତ୍ତୋଳକ ହେଲେ ପୂର୍ଣ୍ଣିମା ପାଣ୍ଡେ, କମ୍‌ ଜଣାଶୁଣା ହିରେନ୍ଦ୍ର ସରଙ୍ଗ, ଦୀପିକା ଶ୍ରୀପାଲ ଏବଂ ଗୌରବ ତୋମାର। ହାଇପ୍ରୋଫାଲଲ ଭାରୋତ୍ତୋଳକ ରବି କୁମାରଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ଦ୍ରବ୍ୟ ଓଷ୍ଟାରିନ୍‌ ଠାବ କରାଯାଇଛି, ଯାହାକି ଏକ ସିଲେକ୍ଟିଭ ଆଣ୍ଡ୍ରୋଜେନ ରସେପ୍ଟର ମୋଡୁଳେଟର(ଏସ୍‌ଏଆର୍‌ଏମ୍‌)। ଏହା ମାଂସପେଶୀ ବୃଦ୍ଧିରେ ସହାୟକ ହୋଇଥାଏ। ଚଳିତବର୍ଷ ବିଶାଖାପାଟଣାଠାରେ ନ୍ୟାଶନାଲ ଚାମ୍ପିୟନଶିପ୍‌ବେଳେ ରବି କୁମାରଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ଜଣେ ଡୋପିଂ ବିଶେଷଜ୍ଞଙ୍କ କହିବା ଅନୁସାରେ ଏସ୍‌ଏଆର୍‌ଏମ ଷ୍ଟେରଏଡ୍‌ର ବିକଳ୍ପ ଭାବେ ବ୍ୟବହାର କରାଯାଇଥାଏ। ଏହା ବ୍ଲାକ ମାର୍କେଟରେ ସହଜରେ ଉପଲବ୍ଧ। ହେଲେ କୌଣସି ଦେଶ ଏହାକୁ ଔଷଧ ରୂପେ ବ୍ୟବହାର ପାଇଁ ଅନୁମତି ଦେଇ ନାହାନ୍ତି। ଡୋପ୍‌ ସ୍କାଣ୍ଡଲରେ କଳଙ୍କିତ ଭାରତୀୟ ଭାରୋତ୍ତୋଳନକୁ ପୁଣି ଏକ ଶକ୍ତ ଧକ୍କା ହୋଇଛି। ଅଧିକ ଡୋପିଂ ମାମଲା ରହିଥିବାରୁ ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଭାରୋତ୍ତୋଳନରେ ୨ ମହିଳା ଓ ୨ ପୁରୁଷ ସମେତ ୪ ସ୍ଥାନ ସୀମତ କରାଯାଇଛି।

Share