ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ ଧକ୍କା ଦେବା ଫଳରେ ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍‌ଟି ସୁକାନ୍ତ ନାୟକଙ୍କ ନାମରେ ରହିିଛି। ବାଲିଅନ୍ତା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ପୂର୍ବାହ୍ନ ୧୧ଟା ବେଳେ ଉକ୍ତ ବ୍ରିଜ ଉପରେ ବାଇକ୍‌ରେ ବାପାପୁଅ ଯାଉଥିବା ସମୟରେ ଏକ ହାଇଓ୍ବା ଓଭରଟେକ୍‌ କରୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ହାଇଓ୍ବାର ପଛ ଚକା ତଳେ ପଡ଼ିଯାଇଥିଲେ। ଗାଡ଼ିଟି ତାଙ୍କର ମୁଣ୍ଡ ଏବଂ ଗୋଟିଏ ହାତ ଉପରେ ଚଢ଼ିଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରୁ ପୁଅ ବର୍ତ୍ତି ଯାଇଛନ୍ତି। ବାପାଙ୍କ ମୃତ୍ୟୁକୁ ନେଇ ଚକିତ ହୋଇଯାଇଥିବା ଯୋଗୁ ସେ ଠିକ୍‌ ଭାବେ କଥା କହିପାରୁନାହାନ୍ତି। ଏଣୁ ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ଏ ନେଇ ଖବର ଦିଆଯାଇଥିଲେ ସୁଦ୍ଧା ବାଲିଅନ୍ତା ପୋଲିସ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାରେ ନିଆଁ ଲଗାଇ ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଲୋକମାନେ ତାକୁ ଛାଡ଼ି ନ ଥିଲେ। ପରେ ଜୋନ-୪ ଏସିପି, ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ ରାଉତ ପ୍ରମୁଖ ଲୋକମାନଙ୍କୁ ବୁଝାସୁଝା କରିଥିଲେ।  ଲୋକମାନେ କ୍ଷତିପୂରଣ ଦେବା ଓ ଗାଡ଼ି ଜଳିବା ପରେ ଦମକଳବାହିନୀକୁ ଛାଡ଼ିବେ ବୋଲି କହିଥିଲେ। ଉତ୍ତେଜନା ଯୋଗୁ ଦୁଇଘଣ୍ଟା ଧରି ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଗାଡ଼ିଟି ଜଳିବା ପରେ ଲୋକମାନେ ରାସ୍ତା ଅବରୋଧ ହଟାଇଛନ୍ତି। ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ନଦୀକୁ ଡେଇଁ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି।

Share