ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ସଜନାଗଡ଼, ୩୧।୧୨(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡର ଅଯୋଧ୍ୟା ଅଞ୍ଚଳରେ ୨ଟି ଭାଲୁ ଆତଙ୍କ ଖେଳାଇଛନ୍ତି। ଗୋଟାଏ ଭାଲୁ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ବେଳେ ଅନ୍ୟ ଏକ ଭାଲୁ ଅଯୋଧ୍ୟା ବଜାରସ୍ଥିତ ଗାଁରେ ପଶି ଆତଙ୍କ ସୃଷ୍ଟି କରିଛି।
ଅଯୋଧ୍ୟା ଗୋପାଳପୁର ଗ୍ରାମର ଛଚିନ୍ଦ୍ର ନାୟକ (୭୪) ନିକଟସ୍ଥ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ବେଳେ ହଠାତ୍‌ ଏକ ଭାଲୁ ଆକ୍ରମଣ କରିଥିଲା। ଛଚିନ୍ଦ୍ରଙ୍କ ଡାହାଣପଟ ଜଙ୍ଘକୁ କାମୁଡ଼ି ଭାଲୁ ଗୁରୁତର କରି ପକାଇଛି। ଚିତ୍କାର ଶୁଣି ପାଖ ଲୋକ ପହଞ୍ଚତ୍ବା ବେଳକୁ ଭାଲୁ ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ନୀଳଗିରି ଡାକ୍ତରଖାନାକୁ ଅଣାଇଥିଲେ। ସେହପରି ଅନ୍ୟ ଏକ ଭାଲୁ ଅଯୋଧ୍ୟା ବଜାର ନିକଟବର୍ତ୍ତୀ ଗ୍ରାମରେ ପଶି ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ଘଟଣାସ୍ଥଳରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ, ଫରେଷ୍ଟରଙ୍କ ସମେତ ବହୁ ବନ କର୍ମଚାରୀ ଭାଲୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।