ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା ଆଗରୁ ନିଶ୍ଚିତ ଶହେ ଥର ଚିନ୍ତା କରିବ। ଏ କ୍ଷେତ୍ରରେ ଭେରା ବ୍ଲିଶ୍‌ଙ୍କ କାହାଣୀ ଟିକେ ଅଲଗା। ଯେଉଁ ଭାଲୁ ଆକ୍ରମଣ କରି ତାଙ୍କ ଗୋଡ଼ ଖାଇଗଲା ଆଉ ଯାହା ଲାଗି ସେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ, ସେହି ହିଂସ୍ର ଭାଲୁ ପ୍ରେମରେ ସେ ପାଗଳ। ରୁଷିଆର ଉସ୍‌ରିସ୍କ ସହରରେ ଥିବା ଏକ ଜୁ’ରେ ମଣିଷ-ଭାଲୁ ମଧ୍ୟରେ ଗଢ଼ିଉଠିଥିବା ନିଆରା ସମ୍ପର୍କ ଏବେ ଚର୍ଚ୍ଚାରେ।
ଭେରା-ମାନ୍ୟୁନ୍ୟା (ମାଈ ଭାଲୁ)ଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷର କାହାଣୀ ଜାଣିବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ଅତୀତକୁ। ଦୀର୍ଘ ୨୫ବର୍ଷ ହେଲା ଜଣେ ଜୁ’ କିପର ଭାବେ କାମ କରୁଛନ୍ତି ଭେରା। ଗତ ସେପ୍ଟେମ୍ବର ୨୫ରେ ସେ ଜଣେ ଯୁବକଙ୍କୁ ଭାଲୁଙ୍କ ଯତ୍ନ କିପରି ନେବାକୁ ହୁଏ ତାହା ବୁଝାଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଗଲା। ସେ ‘ମାନ୍ୟୁନ୍ୟା’ ରହୁଥିବା ଜନ୍ତା ନିକଟକୁ ଚାଲିଆସିଲେ। କିଛି ବୁଝିବା ଆଗରୁ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଦେଲା। ଏଥିରେ ଗୁରୁତର ଭାବେ ଆଘାତପ୍ରାପ୍ତ ହେଲା ତାଙ୍କ ଗୋଡ଼ । ଏକାଧିକ ସ୍ଥାନରେ ହାଡ଼ ଭାଙ୍ଗିଗଲା। ପରିସ୍ଥିତି ଏମିତି ହେଲା ଯେ, ଡାକ୍ତରମାନେ ତାଙ୍କ ଗୋଡ଼ କାଟିଦେବାକୁ ବାଧ୍ୟ ହେଲେ। ସର୍ଜରି ଶେଷ ହେଲା। ଭେରାଙ୍କ ଚେତା ଆସିବା ପରେ ତାଙ୍କ ମୁହଁର ପ୍ରଥମ ଶବ୍ଦ ଥିଲା ‘ମାନ୍ୟୁନ୍ୟା’। ସାଧାରଣତଃ ଚିଡ଼ିଆଖାନାରେ ଥିବା ଯେକୌଣସି ଜଙ୍ଗଲୀ ଜନ୍ତୁ ରକ୍ତମୁଖା ହୋଇଉଠିଲେ, ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତା ବଢ଼ାଇଥାଏ। କର୍ମଚାରୀଙ୍କୁ ଆକ୍ରମଣ ଆଶଙ୍କା ଥିବାରୁ ତାକୁ ତୁରନ୍ତ ଜଙ୍ଗଲରେ ଛାଡ଼ି ଦିଆଯାଇଥାଏ। ହେଲେ ଭେରା କିନ୍ତୁ ଏପରି ଦୁର୍ଘଟଣା ପାଇଁ ‘ମାନ୍ୟୁନ୍ୟା’କୁ ଦାୟୀ କରିନାହାନ୍ତି। ନିଜର ଅସାବଧାନତାରୁ ଏପରି ଘଟିଥିବା ସେ କହିଛନ୍ତି। ଏଥିସହ ଜୁ’ରେ ‘ମାନ୍ୟୁନ୍ୟା’ର ତଦାରଖ ପୂର୍ବ ପରି ଜାରି ରଖିଛନ୍ତି। କୌଣସି ଜଙ୍ଗଲୀ ଜନ୍ତୁ ମଣିଷକୁ ପ୍ରଥମେ ଆକ୍ରମଣ କରେନାହିଁ। ନିଜ ଉପରକୁ ବିପଦ ଆଶଙ୍କା ନ ଥିଲେ କିମ୍ବା ତାକୁ ବିରକ୍ତ ନ କଲା ଯାଏ ସେମାନେ ଶାନ୍ତ ଥାଆନ୍ତି ବୋଲି ଭେରା ନିଜ ପ୍ରତିକ୍ରିୟାରେ କହିଛନ୍ତି।

Share