ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଅଙ୍କ କଷା। ଆମ ଆଦମୀ ପାର୍ଟି(ଏଏପି) ଏଥର ବହୁମତରେ ଆସି ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବ ବୋଲି ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ରେ ଆକଳନ କରାଯାଇଥିଲା। ଏବେ ଭୋଟ ଗଣତି ଅଧା ହେବା ବେଳକୁ ଏଏପି ବହୁମତଠାରୁ ଆଗରେ ଥିବା ବେଳେ ପୁଣିଥରେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଛି। ଏମିତିକି କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବେ ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେବେ ବୋଲି ଆଲୋଚନା ହେଲାଣି। କୁହାଯାଏ ଏହି ଭାଲେଣ୍ଟାଇନ୍ସ ଡେ’ ସହ କେଜରିଓ୍ବାଲଙ୍କ ରହିଛି ଏକ ଭିନ୍ନ ସମ୍ପର୍କ। ୨୦୧୩ରେ କେଜରିଓ୍ବାଲଙ୍କ ନେତୃତ୍ୱରେ ଏଏପି ଦିଲ୍ଲୀରେ ସରକାର ଗଠନ କରିଥିଲା। ସେତେବେଳେ କଂଗ୍ରେସ ସହ ମେଣ୍ଟ କରି ଏଏପି ସରକାର ଗଠନ କରିଥିବା ବେଳେ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। କିନ୍ତୁ ଏହା ବେଶୀ ଦିନ ତିଷ୍ଠି ନ ଥିଲା। ୪୯ ଦିନ ପରେ ଏହି ସରକାର ଭାଙ୍ଗି ଯାଇଥିଲା ଆଉ ଫେବୃୟାରୀ ୧୪ରେ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୫ରେ ୬୭ ଆସନରେ ବିଜୟ ଲାଗ କରି କେଜରିଓ୍ବାଲ ପୁଣିଥରେ ସରକାର ଗଠନ କରିଥିଲେ। ୨୦୧୫ରେ କେଜରିଓ୍ବାଲ ଫେବୃୟାରୀ ୧୪ରେ ଶପଥ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିରୁ ଅନୁମାନ କରାଯାଉଛି ଏଥର ଯଦି ଏଏପି ବିଜୟ ଲାଭ କରେ ତେବେ କେଜରିଓ୍ବାଲ ୧୪ ଫେବୃୟାରୀ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ରେ ଶପଥ ନେଇପାରନ୍ତି।

Share