Categories: ଖେଳ

ଭିଏତ୍‌ନାମ ଓପନ୍‌ ବ୍ୟାଡମିଣ୍ଟନ: ସୌରଭ ଚାମ୍ପିୟନ

ହୋ ଚି ମିନ୍‌ ସିଟି,୧୫।୯ (ପି.ଟି.)- ଭାରତୀୟ ଯୁବ ବ୍ୟାଡମିଣ୍ଟନ ତାରକା ସୌରଭ ବର୍ମା ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଭିଏତ୍‌ନାମ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଟୁର ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ସୌରଭ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ସୌରଭ ଚାଇନାର ସୁନ ଫେଇ ଜିଆଙ୍ଗ୍‌କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ ମାନ୍ୟତା ପାଇଥିବା ସୌରଭ ଫାଇନାଲ ମୁକାବିଲାରେ ସୁନ୍‌ଙ୍କୁ ୨୧-୧୨, ୧୭-୨୧, ୨-୧୪ରେ ହରାଇ ବାଜି ମାରିଛନ୍ତି। ବିଜୟୀ ହେବା ପାଇଁ ସୌରଭଙ୍କୁ ୧ ଘଣ୍ଟା ୧୨ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଏହାପୂର୍ବରୁ ସୌରଭ ହାଇଦ୍ରାବାଦ ଓପନ ଓ ସ୍ଲୋଭେନିଆନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଟାଇଟଲ ଜିତିଥିଲେ।
ନିଜ ପ୍ରଦର୍ଶନରେ ସୌରଭ ଖୁସି ଜାହିର କରିଛନ୍ତି। ଚଳିତ ସପ୍ତାହରେ ମୋର ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। ୩ଜଣ ଜାପନୀ ଖେଳାଳିଙ୍କୁ ପରାସ୍ତ କରିବାରେ ସଫଳ ହୋଇଛି ବୋଲି ସୌରଭ କହିଛନ୍ତି। ସେ ଜାପାନ କୋଡାଇ ନାରାଓକା, ୟୁ ଇଗାରାଶି ଓ ମିନୋରୁ କୋଗାଅନଙ୍କୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲେ। ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ତେବେ ଶେଷରେ ବିଜୟୀ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି। ତୃତୀୟଥର ପାଇଁ ସୌରଭ ଓ ସୁନ ପରସ୍ପରକୁ ଭେଟିଥିଲେ। କାନାଡ଼ା ଓ ହାଇଦ୍ରାବାଦରେ ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ। ଦୁଇଟି ଯାକ ମୁକାବିଲରେ ସୌରଭ ବାଜି ମାରିଥିଲେ। ସୌରଭ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୩୮ତମ ସ୍ଥାନରେ ରହିଛନ୍ତି। ମଧ୍ୟ ପ୍ରଦେଶରେ ଏହି ୨୬ ବର୍ଷୀୟ ଖେଳାଳି ଗତ ବର୍ଷ ଡଚ୍‌ ଓପନ୍‌ ଓ କୋରିଆ ଓପନ୍‌ ଟାଇଟଲ ହାସଲ କରିଥିଲେ। ଫିଟ୍‌ ରହିଲେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କୋରିଆ ଓପନ୍‌ରେ ଅଂଶଗ୍ରହଣ କରିବେ ବୋଲି ସୌରଭ କହିଛନ୍ତି।

Share