ଇସଲାମାବାଦ,୧୮।୮: ସାଧାରଣତଃ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ ଶବ୍ଦ ବ୍ୟବହାର କରି ବିଭିନ୍ନ ତଥ୍ୟ ଖୋଜା ଯାଇଥାଏ। ଏବେ କିନ୍ତୁ ଦେଖିବାକୁ ମିଳିଛି ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ‘ଭିକାରି’ ଲେଖି ସର୍ଚ୍ଚ କଲେ ଏହାର ଇମେଜରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଏକ ଫଟୋ ଆସୁଛି। ଯେଉଁଥିରେ ସେ ହାତରେ ଏକ ପାତ୍ର ଧରି ବସିଥିବା ଦେଖାଯାଉଛି। ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପାକିସ୍ତାନ ସୋସିଆଲ ମିଡିଆ ୟୁଜର ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଦୋଷୀ କହୁଥିବା ବେଳେ ଏମାନେ କହିଛନ୍ତି ପିଚାଇ ଭାରତୀୟ ହୋଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଏମିତି କରିଛନ୍ତି। ହେଲେ ଗୁଗୁଲ ପକ୍ଷରୁ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଜବାବ ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଭାରତ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ଏବେ ଏହାକୁ ନେଇ ପାକିସ୍ତାନ ବିଶ୍ୱର କିଛି ଦେଶ ନିକଟରେ ଗୁହାରି କରିଛି। ପ୍ରାୟତଃ କେହି ପାକିସ୍ତାନ ସପକ୍ଷରେ ଯାଇ ନ ଥିବା ଦେଖାଯାଇଛି। ଅନ୍ୟପଟେ ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ହେବା ସହ ଆମେରିକା ମଧ୍ୟ ୪୪୦ ନିୟୁତ ଡଲାର ସହାୟତା କମାଇଦେବା ପାକିସ୍ତାନକୁ ଏକ ପ୍ରକାର ଝଟକା ଲାଗିଛି।