ଭିକ୍ଷାବୃତ୍ତି ଶେଷ ସାହାରା

ଭଦ୍ରକ ଅଫିସ, ୧୨।୧୨- ବେଶ୍‌ ହସଖୁସିରେ ଚାଲିଥିଲା ତାଙ୍କ ସଂସାର। ଘର ନିକଟ ତଥା ଆଖପାଖ ଅଞ୍ଚଳରେ ସାଇକେଲ ଯୋଗେ ବୁଲି ଦହିବରା ବିକୁଥିଲେ। ସେହି ବ୍ୟବସାୟରୁ ଯାହା ରୋଜଗାର ହେଉଥିଲା ସେଥିରେ ତାଙ୍କର ଛୋଟିଆ ପରିବାର ଚଳିଯାଉଥିଲା। ହେଲେ ଦୁର୍ଘଟଣା ତାଙ୍କ ଜୀବନରେ ଆଣିଦେଲା ଦୁଃଖ। ଏବେ ଭିକ୍ଷାବୃତ୍ତି ହିଁ ଶେଷ ସାହାରା ପାଲଟିଛି ବୋଲି ଲୁହ ଛଳ ଛଳ ଆଖିରେ କହିଥିଲେ ଦିବ୍ୟାଙ୍ଗ ଗଙ୍ଗାଧର ପଣ୍ଡା। ଘର ଭଦ୍ରକ ଜିଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ନୁନ୍ଦର ଗଁାରେ। ସେ ଭଦ୍ରକ ବସ୍‌ଷ୍ଟାଣ୍ଡରେ ନିଜେ ଆଶାବାଡ଼ି ଧରି ସାଙ୍ଗରେ ପୁଅକୁ ନେଇ ଭିକ୍ଷାବୃତ୍ତି କରୁଥିବା ସମୟରେ ଆମ ପ୍ରତିନିଧି ଦେଖିଥିଲେ।
ସେ କହନ୍ତି, ଦହିବରା ବ୍ୟବସାୟ କରୁଥିବାବେଳେ ୨୦୧୮ ଜୁନ୍‌ ୧୯ରେ ତାଙ୍କ ଉପରେ ଏକ ଗଛଡାଳ ଭାଙ୍ଗି ପଡ଼ିଥିଲା। ସେଥିରେ ତାଙ୍କ ଜଙ୍ଘ ଓ ଅଣ୍ଟା ଭାଙ୍ଗିଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ମଧ୍ୟ ଜଙ୍ଘ ଓ ଅଣ୍ଟାର ଅବସ୍ଥା ପୂର୍ବପରି ରହି ଅକାମୀ ହୋଇପଡ଼ିଛି। ବିନା ଆଶାବାଡ଼ିରେ ଚାଲିବା ସମ୍ଭବପର ହୋଇ ନ ଥିଲା। ଫଳରେ ଆଉ ଦହିବରା ବ୍ୟବସାୟ କରିବା କଷ୍ଟସାଧ୍ୟ ହୋଇପଡ଼ିଲା। ଆଶାବାଡ଼ି ସାହାଯ୍ୟରେ ଆସି କେତେକ ଲୋକଙ୍କୁ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଥିଲା। ସେହିବର୍ଷ ଡିସେମ୍ବର ୧୦ରେ ଜିଲାପାଳଙ୍କୁ ଦେଖା କରିବା ପରେ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କିନ୍ତୁ ରୋଜଗାର ହରାଇବା ପରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ସେଥିପାଇଁ ସେ ଏବେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି। ମା, ସ୍ତ୍ରୀ ଓ ତିନି ପିଲାଙ୍କୁ ନେଇ ତାଙ୍କ ପରିବାର। ଚାଳ ଛପର ଘରେ ପାଣି ଗଳୁଥିବାରୁ ପଲିଥିନ ତଳେ ସେମାନଙ୍କ ଜୀବନ ବିତୁଛି। ଏବେ ଘରେ ରୋଜଗାରିଆ କେହି ନ ଥିବାରୁ ଭୋକ ଉପାସରେ ପିଲାମାନେ ଭିକ୍ଷାବୃତ୍ତିରୁ ମିଳୁଥିବା ଟଙ୍କା ଉପରେ ନିର୍ଭର କରୁଛନ୍ତି। ଗତ ସୋମବାର ଜିଲା ପ୍ରଶାସନ ନିକଟରେ ପହଞ୍ଚି ତାଙ୍କୁ ଥଇଥାନ କରିବା ସହ ଗୃହ ଯୋଜନାରେ ସାମିଲ କରିବା ପାଇଁ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ଗୁହାରି ଜଣାଇଛନ୍ତି। ଉପଜିଲାପାଳ ସାମଲ ତିହିଡ଼ି ବିଡିଓଙ୍କ ମାଧ୍ୟମରେ ତଦନ୍ତ ପରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି।