Categories: ଖେଳ

ଭିଜା ଲାଗି ସାହାଯ୍ୟ ଲୋଡିଲେ ଦୂତୀ

ନୂଆଦିଲ୍ଲୀ,୯।୮(ପି.ଟି.):ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ୟୁରୋପରେ କେତୋଟି ରେସ୍‌ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏଥିପାଇଁ ଭିଜା ପାଇବାରେ ସମସ୍ୟା ଉପୁଜିଛି। ଫଳରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଛନ୍ତି। ଅଗଷ୍ଟ ୧୩ରେ ଆୟର୍ଲାଣ୍ଡ ଓ ୧୯ରେ ଜର୍ମାନୀରେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ଅନୁମୋଦିତ ରେସ୍‌ଗୁଡିକରେ ସେ ଭାଗନେବେ। ତେବେ ତାଙ୍କୁ ଏପର୍ଯ୍ୟନ୍ତ ଭିଜା ମିଳିନାହିଁ।
କୌଣସି କାରଣରୁ ଭିଜା ମିଳିପାରିନାହିଁ ବୋଲି ଦୂତୀ ଟୁଇଟ୍‌ କରି ଜଣାଇଛନ୍ତି। ଗତ ସପ୍ତାହରେ ଦୂତୀ ଭିଜା ପାଇଁ ଆବେଦନ କରିଥିଲେ ଓ ଶୁକ୍ରବାର ଗସ୍ତ ଆରମ୍ଭ କରିବାର ଯୋଜନା ରଖିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ଏହି ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ। ତେବେ ସେ ଏଥିପାଇଁ ପାଣ୍ଠି ସଂଗ୍ରହ କରିପାରି ନ ଥିଲେ। ଶେଷରେ ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସହଯୋଗ କରାଯାଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଦୂତୀ ଏବେ କିଟ୍‌ରେ ପାଠ ପଢୁଛନ୍ତି। ଆଗାମୀ କିଛି ଦିନରେ ତାଙ୍କୁ ଭିଜା ମିଳିବ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଙ୍ଗ ହେଉଛି ୧୧.୨୪ ସେକେଣ୍ଡ। ସେହିପରି ୨୦୨୦ ଅଲିମ୍ପିକ୍ସ ଗେମ୍ସ ପାଇଁ କଟ-ଅଫ୍‌ ୧୧.୧୫ ରହିଛି। ତେବେ ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିୟନଶିପ୍‌ରେ ସେ ୧୧.୨୬ ସେକେଣ୍ଟ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏବେ ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଛନ୍ତି।

Share