ଭିଜିଲାନ୍ସ ଜାଲରେ ଇଏସ୍‌ଆଇ ଡାକ୍ତରଖାନାର ମୁଖ୍ୟ କିରାଣୀ

ସୁନ୍ଦରଗଡ, ୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା କାଂଶବାହାଲସ୍ଥିତ ଇଏସ୍‌ଆଇ ହସ୍ପିଟାଲର ମୁଖ୍ୟ କିରାଣୀ ବିଷ୍ଣୁଚରଣ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଷ୍ଣୁଚରଣ ଡାକ୍ତରଖାନାର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କଠାରୁ ଜିପିଏଫ୍‌ ମଞ୍ଜୁର ପାଇଁ ୧ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଚଢ଼ାଉକରି ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି।
ଡ୍ରାଇଭର ବୈରାଗୀ ତାଙ୍କ ଜିପିଏଫ୍‌ ଟଙ୍କା ଉଠାଇବା ପାଇଁ ଗତ ୨୬ /୯/୨୦୧୯ରେ ଆବେଦନ କରିଥିଲେ । ମାତ୍ର ମୁଖ୍ୟ କିରାଣୀ ମଲ୍ଲିକ ଏହି ଜିପିଏଫ୍‌ ଅର୍ଥ ମଞ୍ଜୁର ପାଇଁ ତାଙ୍କୁ ଅର୍ଥ ଦାବି କରିଆସୁଥିଲେ । ଏ ନେଇ ଡ୍ରାଇଭର ବେହେରା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ସମ୍ବଲପୁର ର୍ଦୁନୀତି ନିବାରଣ ଥାନାରେ କେଶ ନଂ. ୫୩/୧୯ରେ ଏକ ମାମଲା ରୁଜୁ ହୋଇଥିଲା । ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା।