ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର

କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ ଏକ ବୋଲେରୋ (ଓଡି୦୨ ଏପି ୪୨୮୮)ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଆସୁଥିଲେ। ମହାନଦୀର ମୁଣ୍ଡଳୀ ବ୍ରିଜ୍‌ ପାଖରେ କଟକ ଭିଜିଲାନ୍ସ ସେଲ୍‌ ତାଙ୍କୁ ଅଟକାଇ ଗାଡ଼ି ତଲାସି କରିଥିଲା। ଏତିକିବେଳେ ଗାଡ଼ି ଭିତରୁ ୨ ଲକ୍ଷ ୭୯ ହଜାର ୩ ଶହ ଟଙ୍କା ମିଳିଥିଲା। ଏ ଟଙ୍କାର ଉତ୍ସ ସମ୍ପର୍କରେ ରେଞ୍ଜର ସ୍ବାଇଁ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସ ଟଙ୍କାକୁ ଜବତ କରିଛି। ବିଭିନ୍ନ ସୂତ୍ରରୁ ରେଞ୍ଜର ସ୍ବାଇଁ ପ୍ରଚୁର ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ଭିଜିଲାନ୍ସ ପାଖରେ ପହଞ୍ଚତ୍ଥିଲା। ଦୀର୍ଘ ଦିନ ହେଲା ତାଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିବା ଭିଜିଲାନ୍ସ ମଙ୍ଗଳବାର ସକାଳେ ତାଙ୍କୁ ଧରିଛି। ଏହା ପରେ ରେଞ୍ଜରଙ୍କ ଛେଣ୍ଡିପଦାସ୍ଥିତ ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟରେ ଚଢ଼ାଉ କରି ୫୦ ହଜାର ଟଙ୍କା ଜବତ କରାଯାଇଛି। ସେହିଭଳି ଯାଜପୁର ଜିଲା ଧର୍ମଶାଳା ଥାନା ଅର୍ନ୍ତଗତ ଖଣ୍ଡିବନ୍ଧସ୍ଥିତ କୋଠା ଓ ବଲାଙ୍ଗିର ସହରସ୍ଥିତ ଭଡ଼ାଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା। ରିପୋର୍ଟ ଲେଖା ହେବା ବେଳକୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Share