ଭିଜିଲାନ୍ସ ଜାଲରେ ଥାନା ଏଏସ୍‌ଆଇ

ପୁରୀ ଅଫିସ,୧୭ା୨: ଏକ ମାମଲାରେ ଚାର୍ଜଶିଟ୍‌ରୁ ନାମ ବାଦ ଦେବା ଲାଗି ଟାଉନ ଥାନା କାର୍ଯ୍ୟରତ ଏଏସ୍‌ଆଇ ବିରଞ୍ଚତ୍ ରାଉଳ ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶୁକ୍ରବାର ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ତାଙ୍କଠାରୁ ଟଙ୍କା ଜବତ କରିବା ସହ ଗିରଫ କରି ଭୁବନେଶ୍ୱର ନେଇଛନ୍ତି। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ ନଂ. ୭/୨୦୨୦.୭/ପିସି ସଂଶୋଧନ ଆକ୍ଟ ପ୍ରକାରେ ମାମଲା ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଧାଗୋବିନ୍ଦ ଲେନ୍‌ର ବିଜୟ କୁମାର ଖୁଣ୍ଟିଆ ଟାଉନ ଥାନାରେ ଏକ କେସ ନଂ ୬/୨୦ରେ ସମ୍ପୃକ୍ତ ଥିଲେ। ଏହି କେସର ଚାର୍ଜଶିଟ୍‌ରୁ ନାମ ବାଦ ଦେବାକୁ ବିଜୟ ତଦନ୍ତ ଅଧିକାରୀ ଏଏସ୍‌ଆଇ ରାଉଳଙ୍କୁ ଅନୁରୋଧ କରିଥିଲେ। ନାମ ବାଦ ଦେବା ଲାଗି ରାଉଳ ପ୍ରଥମେ ୫ହଜାର ପରେ ୩ହଜାର ଟଙ୍କାରେ ରାଜି ହୋଇଥିଲେ। ଏ ସମ୍ପର୍କରେ ବିଜୟ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ ପୂର୍ବରୁ ସଜାଗ ରହିଥିଲେ। ଶୁକ୍ରବାର ରାତିରେ ଥାନା ନିକଟରେ ଏଏସ୍‌ଆଇ ରାଉଳ ଲାଞ୍ଚ ଟଙ୍କା ନେଉଥିବାବେଳେ ଛକିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଘଟଣାସ୍ଥଳରେ ଧରିଥିଲେ। ରଙ୍ଗ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରିଥିଲେ। ଚଢ଼ାଉବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ଇନ୍ସପେକ୍ଟର ସରିତା ତ୍ରିପାଠୀ, ମଦନ ପ୍ରଧାନ ଏବଂ ୪ଜଣ ଷ୍ଟାଫ ସାମିଲ ଥିଲେ।

Share