ଭିଜିଲାନ୍ସ ଜାଲରେ ପୁରୀ ଡିଇଓ: ୧ ଲକ୍ଷ ୧୧ ହଜାର ଟଙ୍କା, ବୋଲେରୋ ଜବତ

ପୁରୀ ଅଫିସ,୧୩ା୭: ପୁରୀ ଜିଲା ଶିକ୍ଷାଧିକାରୀ (ଡିଇଓ) ହୃଷୀକେଶ କାଣ୍ଡି ପୁରୀ ଭିଜିଲାନ୍ସ ଦ୍ୱାରା ଶନିବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କ ନିକଟରୁ ୧ ଲକ୍ଷ ୧୧ ହଜାର ଟଙ୍କା ଓ ଏକ ବୋଲେରୋ ଗାଡ଼ି ଜବତ କରିଛି। ପୁରୀସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ସାଲେପୁର ବନ୍ଧପୁରସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ଡୁମ୍‌ଡୁମାସ୍ଥିତ ଏକ ଆପାର୍ଟମେଣ୍ଟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।
ଶୁକ୍ରବାର କାଣ୍ଡି ନିଜ ବୋଲେରୋ ଯୋଗେ ପୁରୀରୁ ଭୁବନେଶ୍ୱର ଯାଉଥିଲେ। କେତେଜଣ ଶିକ୍ଷକଙ୍କଠାରୁ କାଣ୍ଡି ବେଆଇନ ଭାବେ ଆଦାୟ କରିଥିବା ଟଙ୍କା ଧରି ଯାଉଥିବା ଖବରପାଇ ଭିଜିଲାନ୍ସ ଡିଏସ୍‌ପି ହରନାରାୟଣ ପତିଙ୍କ ନେତୃତ୍ୱରେ ଇନ୍ସପେକ୍ଟର ମଦନମୋହନ ପ୍ରଧାନ, ଜୟକୃଷ୍ଣ ନାୟକ ପ୍ରମୁଖ ମାଳତିପାଟପୁର ଛକରେ ତାଙ୍କୁ ଅଟକାଇ ଥିଲେ। ଏକ ସୁଟ୍‌କେଶରେ ଧରିଥିବା ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଟଙ୍କା ଜବତ କରିଛି। ଶିକ୍ଷକମାନଙ୍କୁ ବଦଳି ନେଇ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ସମ୍ପର୍କରେ ପୁରୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଡିଇଓଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା।

Share