ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

ଫୁଲବାଣୀ ଅଫିସ/ବାଲିଗୁଡ଼ା/କୋଟଗଡ଼(ଡି.ଏନ୍‌.ଏ.)୨୪ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ ଭିନିତ୍‌ ପ୍ରସାଦ ଶ୍ରୀବାସ୍ତବ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ପୁରୁଣା ବିଲ୍‌ ପାସ୍‌ କରାଇ ଦେବାପାଇଁ ଜଣେ ଠିକାଦାରଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରିଛନ୍ତି।
୨୦୧୭-୧୮ ଆର୍ଥିକ ବର୍ଷରେ ଠିିକାଦାର ପ୍ରଦୀପ କୁମାର ନାୟକ ରାଜସ୍ବ ବିଭାଗର କର୍ମଚାରୀ ବାସଗୃହ(କ୍ୱାର୍ଟର୍ସ) ନିର୍ମାଣ କାମ କରିଥିଲେ। ଦେଢ଼ କୋଟି ଟଙ୍କାର ଏହି କାମର କ୍ୱାଲିଟି ସାର୍ଟିଫିକେଟ ବାବଦରେ ପ୍ରଦୀପ ଏକ ଲକ୍ଷ ଟଙ୍କା ପାଇବାର ଥିଲା। ଉକ୍ତ ଟଙ୍କାର ବିଲ୍‌ କରିଦେବା ପାଇଁ ଆକାଉଣ୍ଟାଣ୍ଟ ଶ୍ରୀବାସ୍ତବ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ପ୍ରଦୀପ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ ସୋମବାର ଆକାଉଣ୍ଟାଣ୍ଟ ଶ୍ରୀବାସ୍ତବଙ୍କୁ ପ୍ରଦୀପ ୫ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉ କରି ଉକ୍ତ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଥିଲେ। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନା ପ୍ରକାଶ କରିଛନ୍ତି। ଏ ନେଇ ନଂ.୩୫/୧୯ରେ ଏକ ମାମଲା ରୁଜୁ କରାଯାଇଛି।

Share