ଭିଜିଲାନ୍ସ ଜାଲରେ ବୈଧମାପ, ଓଜନ ବିଭାଗ ବରିଷ୍ଠ ନିରୀକ୍ଷକ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୈଧମାପ ଏବଂ ଓଜନ ବିଭାଗ ଜଗତ୍‌ସିଂହପୁର କାର୍ଯ୍ୟାଳୟ ସହକାରୀ ନିୟନ୍ତ୍ରକ ତଥା ପାରାଦୀପସ୍ଥିତ ବିଭାଗୀୟ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ। ଭିଜିଲାନ୍ସ ସୂଚନା ଅନୁଯାୟୀ କିରୋସିନ ତୈଳ ଟ୍ୟାଙ୍କର, ଡିଜେଲ ଓ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ବେଆଇନଭାବେ ସହଯୋଗ କରିବା ଅର୍ଥାତ୍‌ କାଲିବ୍ରେସନ୍‌ ସାର୍ଟିଫିକେଟ୍‌ ନବୀକରଣ ପାଇଁ ସେଠୀ ଲାଞ୍ଚ ନେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସେଠୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ଯୋଜନା ଅନୁଯାୟୀ ଶୁକ୍ରବାର ଭିଜିଲାନ୍ସ ସେଲର ଅଧିକାରୀମାନେ ଅପରାହ୍ନ ୩ଟା୪୫ରେ ତାଙ୍କ ପାରାଦୀପ ମଧୁବନସ୍ଥିତ କାର୍ଯ୍ୟାଳୟରେ ପହଞ୍ଚତ୍ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ପାଖରୁ ୧,୭୧,୦୭୦ ଟଙ୍କା ମିଳିଥିଲା। ତେବେ ଏତେ ଟଙ୍କା କେଉଁଠୁ ଆଣିଲେ ସେ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେଠୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତାଙ୍କ ପାରାଦୀପ ଉଦୟବଟସ୍ଥିତ ଭଡା ଘର, ମଧୁବନସ୍ଥିତ କାର୍ଯ୍ୟାଳୟ ଚାମ୍ବର, ଯାଜପୁର ଜିଲା ଜାବରାସ୍ଥିତ ନିଜ ଘର ଓ ବାଲେଶ୍ୱର ଜିଲା ଉଲୁଦାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଥିବା ସୂଚନା ଦିଆଯାଇଛି।

Share