ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୩ ସ୍ଥାନରେ ଚଢ଼ାଉ

ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀଙ୍କ ନାମରେ ଆୟ ବହିଃର୍ଭୂତ ମାମଲା ରୁଜୁ ହୋଇଥିବାରୁ ଏହି ଚଢ଼ାଉ କରାଯାଉଥିବା ପ୍ରକାଶ। ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟସ୍ଥ ଯନ୍ତ୍ରୀଙ୍କ ଭଡ଼ା ଘରେ ଗୁରୁବାର ସକାଳେ ଭିଜିଲାନ୍ସର ଏକ୍‌ ଟିମ ପହଞ୍ଚିଥିଲା।

ମାତ୍ର ଯନ୍ତ୍ରୀ ଘରେ ନ ଥିବାରୁ ଚଢ଼ାଉ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ଘରେ ତାଲା ପଡ଼ିଥିବାରୁ ଭିଜିଲାନ୍ସ ଅଧିକାରୀମାନେ ଘର ବାହାରେ ଜଗି ବସିଛନ୍ତି। ଏହା ସହିତ ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଭଡ଼ା ଘର ଓ ନୟାଗଡ଼ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି।