ଭିଜିଲାନ୍ସ ଟାର୍ଗେଟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ: ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ, ୨୪।୧୦: ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବୁଧବାର ଏକ ଲାଞ୍ଚ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ସଶ୍ରମ ଜେଲ୍‌ ଓ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଅଧିକ ୬ମାସ ସଶ୍ରମ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟର ଜଣକ ହେଉଛନ୍ତି ରାୟଗଡ଼ା ଜିଲା ବିଷମକଟକ ଥାନାର ପୂର୍ବତନ ଇନ୍ସପେକ୍ଟର ନଳିନୀକାନ୍ତ ମହାପାତ୍ର। ଏବେ ମହାପାତ୍ର ମୟୂରଭଞ୍ଜ ଜିଲା ଆଇୟୁସିଏଡବ୍ଲ୍ୟୁ(ଇନ୍‌ଭେଷ୍ଟିଗେଟିଂ ୟୁନିଟ୍ସ ଅନ୍‌ କ୍ରାଇମ ଏଗେନ୍‌ଷ୍ଟ ଓମେନ)ରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍‌ ନଂ. ୪୪/୨୦୧୦ ରୁଜୁ ହୋଇଥିଲା। ମାମଲାର ବିବରଣୀ ଅନୁଯାୟୀ, ଇନ୍ସପେକ୍ଟର ମହାପାତ୍ର ବିଷମକଟକ ଅଞ୍ଚଳର ରାଧାକାନ୍ତ ଦାସଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ରାଧାକାନ୍ତଙ୍କ ବିରୋଧରେ ଥାନାରେ ଏକ ଆପରାଧିକ ମାମଲା ରୁଜୁ ନ କରିବା ପାଇଁ ଇନ୍ସପେକ୍ଟର ମହାପାତ୍ର ତାଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍‌. ବାଲାଜୀ ରାଓ ମାମଲା ପରିଚାଳନା କରୁଥିଲେ।

 

Share