ଭୋପାଳ,୮ା୭: ଦେଶରେ ଭିଡ଼ହିଂସା ବଢିବାରେ ଲାଗିଛି। ଏଭଳି ହିଂସାକାଣ୍ଡରୁ ନିଜକୁ ରକ୍ଷାକରିବା ଲାଗି ମଧ୍ୟପ୍ରଦେଶର ଜଣେ ମୁସଲମାନ ସମ୍ପ୍ରଦାୟର ସରକାରୀ ଅଧିକାରୀ ନିଜ ନାମ ବଦଳାଇ ଦେବାକୁ ସ୍ଥିର କରିଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀଭାବେ କାର୍ଯ୍ୟରତ ନିୟାଜ୍ ଖାନ ଏନେଇ ଶନିବାର ଟୁଇଟ୍ କରିଥିଲେ। ଦେଶରେ ମୁସଲ୍ମାନଙ୍କ ବିରୋଧରେ ଏଭଳି ଭିଡ଼ହିଂସା ଘଟୁଥିବାରୁ ତାଙ୍କ ମୁସଲମାନ ପରିଚୟ ଲୁଚାଇବା ଲାଗି ନିୟାଜ୍ ଏଭଳି ନାମ ପରିବର୍ତ୍ତନ କରିବାକୁ ଚାହିଁଥିବା କହିଛନ୍ତି। ମୁସଲମାନଙ୍କ ଭଳି ଦାଢି ନ ରଖୁଥିବା ଓ ଟୋପି, କୁର୍ତ୍ତା ନ ପିନ୍ଧୁଥିବାରୁ ସେ ରକ୍ଷାପାଇଯିବେ ବୋଲି ପ୍ରକାଶ କରିଛନ୍ତି। ନାମ ପରିବର୍ତ୍ତନ କଲେ ଭିଡ଼ହିଂସାରୁ ମୁକ୍ତି ମିଳିଯିବ, ନ ହେଲେ କୌଣସି ସଂସ୍ଥା କି ସଙ୍ଗଠନ ସୁରକ୍ଷା ଦେଇପାରିବେ ନାହିଁ ବୋଲି ସେ ମତ ରଖିଛନ୍ତି।