Advertisement
Categories: ବାଣିଜ୍ୟ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। ସେମାନେ ଆସନ୍ତା ସପ୍ତାହରେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚନ୍ଦାଙ୍କୁ ମେ ୩ରେ ଏବଂ ଦୀପକ ଓ ତାଙ୍କ ଭାଇ ରାଜୀବଙ୍କୁ ଚଳିତ ମାସ ୩୦ରେ ଯାଞ୍ଚ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହେବାକୁ କୁହାଯାଇଛି। ସେମାନଙ୍କଠାରୁ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ବୟାନ ନିଆଯିବ। ଚନ୍ଦାଙ୍କ ସମେତ ଅନ୍ୟମାନଙ୍କୁ ଗତ ସପ୍ତାହରେ ସମନ ପଠାଯାଇଛି ବୋଲି ସେ କହିଛନ୍ତି। ଯାଞ୍ଚକୁ ଆଗକୁ ବଢ଼ାଇବା ଲାଗି ସେମାନଙ୍କ ଉପସ୍ଥିତି ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହାଛଡ଼ା ସେମାନଙ୍କୁ ବ୍ୟକ୍ତିଗତ ଆର୍ଥିକ ଦସ୍ତାବିଜ ଆଣିବାକୁ କୁହାଯାଇଛି। ସୂଚନାଥାଉ କି, ବ୍ୟାଙ୍କ ଋଣ ମାମଲାରେ ମାର୍ଚ୍ଚ ପହିଲାରେ ଇଡି ପକ୍ଷରୁ ଚନ୍ଦା ଓ ତାଙ୍କ ପରିବାର, ଭିଡିଓକନ ଗ୍ରୁପ୍‌ ମୁଖ୍ୟ ବେଣୁଗୋପାଳ ଧୂତ୍‌ଙ୍କ ମୁମ୍ବାଇ ଓ ଔରଙ୍ଗାବାଦ୍‌ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରାଯିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚନ୍ଦା ଓ ଦୀପକଙ୍କୁ ମୁମ୍ବାଇ ମୁଖ୍ୟାଳୟରେ ଜେରା କରିଥିଲା। ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ଭିଡିଓକନ ଗ୍ରୁପ୍‌କୁ ୧୮୭୫ କୋଟି ଟଙ୍କାର ଋଣ ମଞ୍ଜୁରୀ ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ସିବିଆଇ, ଇଡି ଏହାର ସ୍ବତନ୍ତ୍ର ଯାଞ୍ଚ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share