ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣିକୁ ଗୁରୁତ୍ୱ

କଟକ ଅଫିସ, ୧୭।୩: କରୋନା ଭୂତାଣୁକୁ ନେଇ ହାଇକୋର୍ଟ ପକ୍ଷରୁ ସୋମବାର ଏହା ଅଧୀନସ୍ଥ ତଳକୋର୍ଟଗୁଡ଼ିକ ପାଇଁ ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। କେଉଁ ପଦକ୍ଷେପ ନିଆଗଲେ ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ ସେ ସମ୍ପର୍କରେ ଉକ୍ତ ଆଡ୍‌ଭାଇଜରିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି। ବିଶେଷକରି ଜେଲ୍‌ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଚାରାଧୀନ କଏଦୀ(ୟୁଟିପି)ଙ୍କ ଶୁଣାଣି ଉପରେ ଗୁରୁତ୍ୱ ଦିଆଯାଇଛି। କୋର୍ଟରେ ବିଚାରାଧୀନ କଏଦୀମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଏଡାଇ ଦିଆଯାଉ। ଯଥାଶୀଘ୍ର ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରିବା ଓ ଜେଲ୍‌ କୋଠରିର ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ଏହି ଆଡ୍‌ଭାଇଜରିରେ ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ଏହି ଆଡ୍‌ଭାଇଜରିରେ ମୋଟ୍‌ ୯ଟି ବିଷୟରେ ଉଲ୍ଲେଖ କରାଯାଇଛି। ଭୂତାଣୁ ବ୍ୟାପିବା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ସମସ୍ତ ଜିଲା ଏବଂ ଦୌରାଜଜ୍‌ମାନେ ପାଳନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ, ଭିଡକୁ କମାଇବା ପାଇଁ କୋର୍ଟ କମ୍ପ୍ଲେକ୍ସଗୁଡିକରେ ମକଦ୍ଦମାକାରୀ ଏବଂ ସାଧାରଣ ଜନତାଙ୍କ ପ୍ରବେଶକୁ ଯଥା ସମ୍ଭବ ନିୟନ୍ତ୍ରଣ କରାଯାଉ ଓ ଏଥିରେ ସମସ୍ତ ଜିଲା ଓକିଲ ସଂଘଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଉ, ଆବଶ୍ୟକ ସ୍ଥଳେ ମକଦ୍ଦମା ପକ୍ଷଭୁକ୍ତମାନଙ୍କ ଉପସ୍ଥିତି ଉପରେ ଗୁରୁତ୍ୱ ଦିଆଯାଉ, ଯଥା ସମ୍ଭବ ମୌଖିକ ଯୁକ୍ତି ପରିମାଣକୁ ହ୍ରାସ କରାଯାଉ, ଜରୁରୀ ବିଷୟରେ ହିଁ ମଧ୍ୟସ୍ଥତା ପ୍ରକ୍ରିୟାର ସାହାଯ୍ୟ ନିଆଯାଉ, ଥଣ୍ଡା, କାଶ କିମ୍ବା ଛିଙ୍କରେ ଆକ୍ରାନ୍ତ ହୋଇଥିବା କୋର୍ଟ କର୍ମଚାରୀମାନେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା, କୋର୍ଟ କାର୍ଯ୍ୟାଳୟ ଓ ରୁମ୍‌ ସହିତ ଏହା ପରିସରରେ ଥିବା ଚେୟାର, ଟେବୁଲ୍‌ ଏବଂ ଆସବାବପତ୍ରରେ କେମିକାଲ୍‌ ସିଞ୍ଚନ କରିବା, ପ୍ରତ୍ୟେକ ଜିଲା କୋର୍ଟ କମ୍ପ୍ଲେକ୍ସରେ ଦୈନନ୍ଦିନ ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ପ୍ରତିକାର ପଦକ୍ଷେପ ନେବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଉ। ଏହି ଟିମ୍‌ରେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ, ସିଭିଲ୍‌ କୋର୍ଟର ରେଜିଷ୍ଟ୍ରାର୍‌, କୋର୍ଟ ମ୍ୟାନେଜର ଏବଂ ଦୁଇଜଣ ବରିଷ୍ଠ କର୍ମଚାରୀ ସଦସ୍ୟ ରହିବେ। ଯଦି ଆବଶ୍ୟକ ହୁଏ ଜିଲା ଜଜ୍‌ମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଆଡଭାଇଜରିରେ ଉଲ୍ଲେଖ ରହିଛି। ପରିବର୍ତ୍ତୀ ସର୍କୁଲାର୍‌ ଜାରି ହେବା ପର୍ଯ୍ୟନ୍ତ ଏହି ଆଡଭାଇଜରି ବଳବତ୍ତର ରହିବ ବୋଲି ହାଇକୋର୍ଟ ପକ୍ଷରୁ ଏହା ଅଧୀନ ସମସ୍ତ କୋର୍ଟକୁ ପରାମର୍ଶ ଦିଆଯାଇଛି।

Share