ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି ନେଇ ବଦଳିଲା ହାଇକୋର୍ଟଙ୍କ ଗାଇଡ୍‌ଲାଇନ୍‌: ‘ଜୁମ୍‌’ ବଦଳରେ ‘ଜିଟ୍‌ସି ମିଟ୍‌’ ଆପ୍‌ ହେବ ବ୍ୟବହାର

କଟକ ଅଫିସ, ୧୦।୫: କରୋନା ଭୂତାଣୁର ସଂକ୍ରମଣକୁ ଦେଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡ଼ିଓ କନ୍‌ଫରେନ୍ସିଂ ସ୍କିମ୍‌-୨୦୨୦ କାର୍ଯ୍ୟକାରୀ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭିଡ଼ିଓ କନ୍‌ଫରେନ୍ସିଂ ପାଇଁ ଜୁମ୍‌ ଆପ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସତର୍କତା ଜାରି କରିବା ପରେ ଜୁମ୍‌ ଆପ୍‌କୁ ବାରଣ କରାଯାଇଥିଲା। ଏବେ ଏନେଇ ସଦ୍ୟ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଜୁମ୍‌ ବଦଳରେ ଜିଟ୍‌ସି ମିଟ୍‌ ଆପ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ଆପ୍‌କୁ ଆଇନ୍‌ଜୀବୀ ଏବଂ ପକ୍ଷଭୁକ୍ତମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବେ। ଯେଉଁମାନେ ଲାପ୍‌ଟପ୍‌ କିମ୍ବା ଡେସ୍କଟପ୍‌ରୁ ବ୍ୟବହାର କରିବାକୁ ଚାହୁଛଁନ୍ତି, ସେମାନେ https://meet.jit.si/ ଲିଙ୍କ୍‌କୁ ବ୍ରାଉଜର୍‌ରେ ଖୋଲିବେ। ଏହି ଆପ୍‌କୁ ବ୍ୟବହାର କରିବା ପାଇଁ କୌଣସି ପ୍ରକାର ଆକାଉଣ୍ଟ ଖୋଲିବା ଆବଶ୍ୟକ ନାହିଁ। ଯେଉଁ ଆଇନ୍‌ଜୀବୀମାନେ ଆପ୍‌ ଜରିଆରେ ଭିଡିଓ କନ୍‌ଫରେନ୍ସିଂ ଶୁଣାଣିରେ ଭାଗନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଶୁଣାଣି ଦିନର ସକାଳ ସାଢ଼େ ୮ଟା ପୂର୍ବରୁ od.hc-vc@gov.in କିମ୍ବା ohc.vc.courts@gmail.comକୁ ଇ-ମେଲ୍‌ ଜରିଆରେ ସୂଚନା ଦେବାକୁ ହେବ। ସେଥିରେ କେସ୍‌ ଏବଂ ଆଇଟମ୍‌ ନମ୍ବର, ଆଇନଜୀବୀ/ପକ୍ଷଭୁକ୍ତଙ୍କୁ ନାମ, ମୋବାଇଲ୍‌ ନମ୍ବର ଦେବାକୁ ହେବ। ଶୁଣାଣି ପୂର୍ବରୁ ଆଇନଜୀବୀ ଏବଂ ପକ୍ଷମାନଙ୍କୁ ଏନେଇ ଅବଗତ କରାଯିବ ଏବଂ ସେମାନେ ପ୍ରସ୍ତୁତ ରହିବାକୁ ପଡ଼ିବ। ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ଡିସ୍‌ପ୍ଲେ ବୋର୍ଡ଼କୁ ନିୟମିତ ବ୍ୟବଧାନରେ ଦେଖିବାକୁ ପରାମର୍ଶ ଦିଆଯାଇଛି। ଗୋଟିଏ ଶୁଣାଣି ଚାଲିଥିବାବେଳେ, ପରବର୍ତ୍ତୀ ଶୁଣାଣିରେ ଆଇନ୍‌ଜୀବୀ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂରେ ଭାଗ ନେଇପାରିବେ। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ନୀରବ ରହିବେ ବୋଲି ଗାଡଇ୍‌ଲାଇନ୍‌ରେ କୁହାଯାଇଛି। ଯଦି କୌଣସି କାରଣରୁ ଜିଟ୍‌ସି ମିଟ୍‌ ଆପ୍‌ ବ୍ୟବହାରରେ ଅସୁବିଧା ହୁଏ ତେବେ ହ୍ବାଟ୍‌ସଆପ୍‌ର ଭିଡିଓ କଲ୍‌ ମାଧ୍ୟମରେ ମଧ୍ୟ ଶୁଣାଣି ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂରେ ବ୍ୟବହାର ହେଉଥିବା କ୍ୟାମେରା, ମାଇକ୍ରୋଫୋନ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ନିଜେ ଆଇନଜୀବୀ/ପକ୍ଷଭୁକ୍ତଙ୍କୁ ଯୋଗାଡ଼ କରିବାକୁ ପଡ଼ିବ। କୋର୍ଟରୁମ୍‌ରେ ଶୁଣାଣି ଭଳି ଏଥିରେ ମଧ୍ୟ ଆଇନଜୀବୀମାନେ ନିର୍ଦ୍ଦିଷ୍ଟ ପ୍ରକାର ପୋଷାକ ପରିଧାନ କରିବାକୁ ହେବ। ଯଦି ଶୁଣାଣି ବେଳେ କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି, ତେବେ କନ୍‌ଫରେନ୍ସିଂକୁ ବିଚ୍ଛିନ୍ନ କରାଯିବ ଏବଂ ଖଣ୍ଡପୀଠଙ୍କ ପରାମର୍ଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ। କନ୍‌ଫରେନ୍ସିଂକୁ ରେକର୍ଡିଂ କିମ୍ବା ସର୍ବସାଧାରଣରେ ପ୍ରସାରଣକୁ ନିଷିଦ୍ଧ କରାଯାଇଛି। ଏନେଇ ଏକ ହେଲ୍‌ପ ଲାଇନ୍‌ ଖୋଲାଯିବ ବୋଲି ଏହି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Share