ଭିଡିଓ କର୍ମଶାଳାରେ ପ୍ରଦର୍ଶିତ ହେଲା ୬୦ ବିରଳ ଚିକିତ୍ସା ପଦ୍ଧତି

ପୁରୀ ଅଫିସ,୧୨ା୯: ଇଣ୍ଡିଆନ ସୋସାଇଟି ଫର୍‌ ସର୍ଜରୀ ଅଫ୍‌ ଦି ହ୍ୟାଣ୍ଡ (ଆଇଏସ୍‌ଏସ୍‌ଏଚ୍‌)ର ୪୩ତମ ଏବଂ ଇଣ୍ଡିଆନ ସୋସାଇଟି ଅଫ୍‌ ହ୍ୟାଣ୍ଡ ଥେରାପିଷ୍ଟ (ଆଇଏସ୍‌ଏଚ୍‌ଟି)ର ୭ମ ବାର୍ଷିକ ସମ୍ମିଳନୀ ପୁରୀରେ ଅନୁଷ୍ଠିତ ହେବ। ହୋଟେଲ ହଲିଡେ ରିସର୍ଟରେ ହେବାକୁ ଥିବା ଏହି ୪ ଦିନିଆ ସମ୍ମିଳନୀକୁ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିବେ। ଏହାକୁ ଓଡ଼ିଶା ଅର୍ଥୋପେଡିକ ଆସୋସିଏଶନ ଏବଂ ଓଡ଼ିଶା ପ୍ଲାଷ୍ଟିକ ସର୍ଜରୀ ଆସୋସିଏଶନ ମିଳିତ ଭାବେ ଆୟୋଜନ କରୁଛନ୍ତି।
ଏ ନେଇ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡ. ସୁବ୍ରତ ଜେନା କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଗୁରୁବାର ଏହାର ଭିଡିଓ କର୍ମଶାଳାରେ ୬୦ଟି ବିରଳ ଚିକିତ୍ସା ପଦ୍ଧତି ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ବକ୍ତୃତାମାଳା ଆୟୋଜନ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ସମ୍ମିଳନୀକୁ ରାଜ୍ୟପାଳ ଉଦ୍‌ଘାଟନ କରିବେ। ଡ. ଅରୁଣ ଚୌଧୁରୀ କହିଥିଲେ, ଗତ ୪୨ବର୍ଷ ଧରି ଏଭଳି ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟରେ ହୋଇଛି। ଏଥର ଶ୍ରୀଜଗନ୍ନାଥ ଧାମରେ ଏହା ଆୟୋଜନ କରାଯାଇଛି। ଏଥିରେ ବିଶ୍ୱର ସୁନାମଧନ୍ୟ ହ୍ୟାଣ୍ଡ ସର୍ଜନ ଆମେରିକାର ଡ. ଚୈତନ୍ୟ ମୁଦ୍‌ଗଲ ଏବଂ ଡ. ସ୍କଟ୍‌ ଓଇସି, ଅଷ୍ଟ୍ରେଲିଆର ଉଲ୍‌ଫଗ୍ୟାଙ୍ଗ ହୁବେର, ଜାପାନର ଡ. ହିଡେହିକୋ କୱାବାଟା, ୟୁକେର ଡ. ଅମିତ ଟୋଲାଟ ଓ ଡ. ଡମିର କସୁଟି ଯୋଗଦେଇଛନ୍ତି। ସେମାନେ ତାଙ୍କ ଦେଶରେ ତଥା ବିଶ୍ୱରେ କିପରି ଉନ୍ନତମାନର ଚିକିତ୍ସା କରାଯାଇପାରୁଛି ସେ ବିଷୟରେ ଆମର ହ୍ୟାଣ୍ଡ ସର୍ଜନ, ପ୍ଲାଷ୍ଟିକ ସର୍ଜନ ଏବଂ ଅର୍ଥୋପେଡିକ ସର୍ଜନମାନଙ୍କୁ ଶିଖାଇବେ।
ଏହି ଖବରଦାତା ସମ୍ମିଳନୀରେ ଡ. ମୁକୁନ୍ଦ ଥାଟେ, ଡ. ବିଶ୍ୱଜିତ ମିଶ୍ର, ପ୍ରଫେସର ବିଶ୍ୱଜିତ ସାହୁ, ଡ. ସନ୍ତୋଷ ରଥ, ଡ. ଦେବବ୍ରତ ପାଢୀ, ଡ. ଜୟନ୍ତ ଦାଶ, ଡ. ସଞ୍ଜୟ କୁମାର ଗିରି, ଡ. ପଙ୍କଜ ଆହିଲେ ପ୍ରମୁଖ ଉପସ୍ଥିତ ଥିଲେ।