ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ବିହାରରେ ଏକ ମୁସଲମାନ ଦମ୍ପତିଙ୍କ ବାହାଘର (ନିକାହ) ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଯୋଗୁ ସାମୂହିକ ଭାବେ ଏକାଠି ହେବାକୁ ବନ୍ଦ କରାଯାଇଥିବାରୁ ସେମାନେ ଭିଡିଓ କଲ୍‌ ଯୋଗେ ବାହା ହୋଇଛନ୍ତି। ବିହାରରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ପାଟନାର ଏହି ଦମ୍ପତି ବାହାଘର ପାଇଁ ଏଭଳି ନୂତନ ଉପାୟ ଆପଣାଇଛନ୍ତି। ୬୦ ସେକେଣ୍ଡର ଏହି ଭିଡିଓରେ କାନ୍ଥରେ ଲଗାଯାଇଥିବା ଟିଭିରେ ଉଭୟ କନ୍ୟା ଓ ବରପକ୍ଷର ଭିଜୁଆଲ ଦେଖାଯାଉଛି। କିଛି ସମୟ ପରେ ପରିବାର ସଦସ୍ୟ ପରସ୍ପରକୁ କୁଣ୍ଢାଇ ଶୁଭେଚ୍ଛା ଜଣାଉଛନ୍ତି। ଏହାପରେ କନ୍ୟା ଓ ବର ଟିଭି ନିକଟକୁ ଆସି ଉଭୟେ ଉଭୟଙ୍କୁ ବାହାଘର ପରେ ପ୍ରଥମ ଥର ପାଇଁ ଦେଖୁଛନ୍ତି। ଏଭଳି ଆଉ କେତେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସିଙ୍ଗାପୁରର ଦମ୍ପତି ନିଜ ରିସେପଶନ ପାର୍ଟିରେ ଭିଡିଓ କଲ୍‌ ଯୋଗେ ଯୋଗଦେଇଥିଲେ। ସେମାନେ ନିକଟରେ ଚାଇନାରୁ ଫେରିଥିବାରୁ ଭିଡିଓ କଲ୍‌ରେ ପାର୍ଟି ଆଟେଣ୍ଡ କରିଥିବା ଜଣାପଡ଼ିଥିଲା।

Share