ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ସାମିଲ ଅଛନ୍ତି। ଏହି ଟେକ୍‌ନୋଲୋଜିରେ ସ୍ମାର୍ଟଫୋନ ମାଧ୍ୟମରେ ନିଆଯାଇଥିବା ଫେସିଆଲ ଭିଡିଓରୁ ରକ୍ତଚାପ ମପାଯାଇପାରିବ ବୋଲି କହନ୍ତି ଭାରତୀୟ ବଂଶୋଦ୍ଭବ ଗବେଷକ ତଥା ମିଚିଗାନ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମକୃଷ୍ଣ ମୁକ୍କାମଲ। ଏକ ଭଲ ଓ ନିୟନ୍ତ୍ରିତ ପରିବେଶ , ସ୍ଥିର ଆଲୋକରେ ଗବେଷକମାନେ ମୁହଁର ଭିଡିଓ ନେଇ ପରୀକ୍ଷା କରିଛନ୍ତି। ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ମଡେଲରେ ଲାଇଟ ତ୍ୱଚାର ବାହ୍ୟ ଆବରଣ ଭିତରେ ପ୍ରବେଶ କରି ସ୍ମାର୍ଟ ଫୋନରେ ଥିବା ଅପ୍ଟିକାଲ ସେନ୍‌ସରରେ ରକ୍ତପ୍ରବାହର ଶୈଳୀକୁ ପ୍ରଦର୍ଶିତ କରେ। ଏହି ଟେକ୍‌ନୋଲୋଜିରେ ଗବେଷକମାନେ ସିଷ୍ଟୋଲିକ ରକ୍ତଚାପ ୯୫ ପ୍ରତିଶତ ଓ ଡାୟାଷ୍ଟୋଲିକ ବ୍ଲଡ୍‌ ପ୍ରେସର ୯୬ ପ୍ରତିଶତ ଠିକ୍‌ ରହୁଥିବା ଜଣାପଡିଛି। ଠିକ ରକ୍ତଚାପ ଜାଣିବା ପାଇଁ ଏବେ ବ୍ୟବହାର କରାଯାଉଥିତ୍ବା ଆନ୍ତର୍ଜାତିକ ମାନର ଯନ୍ତ୍ରଠାରୁ ଏହା ଆହୁରି ଅଧିକ ଠିକ ତଥ୍ୟ ଦେଇପାରୁଛି ବୋଲି କହନ୍ତି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକ କାଙ୍ଗ୍‌ ଲି। ଏହି ପଦ୍ଧତିରେ ନିୟମିତ ରକ୍ତଚାପ ଜାଣିହେବ । ଏସମ୍ପର୍କିତ ତଥ୍ୟ ସର୍କ୍ୟୁଲେଶନ କାର୍ଡିଓଭାସ୍କୁଲାର ଇମେଜିଂ ଜର୍ନାଲରେ ପ୍ରକାଶ ପାଇଛି।

Share