ଭିତ୍ତିପ୍ରସ୍ତର ସ୍ଥାପନର ୫ମାସ ବିତିଲା : ଏ ଯାଏଁ ଆରମ୍ଭ ହୋଇନି ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଖଣ୍ଡପଡା,୧୦।୮(ସ୍ବ.ପ୍ର.): ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଉମାଦେବୀ ଛକ ନିକଟରେ ଏକ ବିଜ୍ଞାନକେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏ ମଧ୍ୟରେ ଦୀର୍ଘ ୫ମାସ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ସତେ ଯେପରି ନିର୍ମାଣ କାର୍ଯ୍ୟ ସୂଚନାଫଳକରେ ଅଟକି ରହିଛି । ଉକ୍ତ ପ୍ରକଳ୍ପ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୫.୬୮କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମାତ୍ର ପ୍ରଶାସନିକ ସ୍ଥାଣୁତା ଯୋଗୁ ପ୍ରସ୍ତାବିତ ସ୍ଥାନରେ ଉକ୍ତ ବିଜ୍ଞାନକେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୂତନ ବିଜ୍ଞାନ କେନ୍ଦ୍ର ନିମନ୍ତେ ୫.୫ ଏକର ଜାଗା ଚିହ୍ନଟ କରାଯାଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱର ଇଡକୋ କର୍ତ୍ତୃପକ୍ଷଙ୍କ ଉପରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି । ୨୦୧୯ ମାର୍ଚ୍ଚ ୪ ତାରିଖରେ ଖଣ୍ଡପଡାଠାରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ତତ୍କାଳୀନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତାବିତ ସ୍ଥାନରେ ଭିତ୍ତିପ୍ରସ୍ତର ଉସତ୍ବ ଅନୁଷ୍ଠିତ ହୋଇଥିଲା । ଏହି ଉସତ୍ବରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ହେଁ ଭିତ୍ତିପ୍ରସ୍ତର ସ୍ଥାପନର ୫ମାସ ପରେ ବି ପ୍ରସ୍ତାବିତ ସ୍ଥାନରେ ବିଜ୍ଞାନ କେନ୍ଦ୍ର ନିର୍ମାଣର ଅଗ୍ରଗତି ହୋଇ ପାରିନାହିଁ । ଅପରପକ୍ଷେ ରାଜ୍ୟ ସରକାର ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ମଞ୍ଜୁର କରିଥିବା ଅନୁଦାନ ଅର୍ଥ ଇଡ୍‌କୋ କର୍ତ୍ତୃପକ୍ଷଙ୍କ ନିକଟରେ ପଡି ରହିଥିବା ଜଣାପଡ଼ିଛି । ତେଣୁ ଖଣ୍ଡପଡ଼ାଠାରେ ପ୍ରସ୍ତାବିତ ସ୍ଥାନରେ ତୁରନ୍ତ ବିଜ୍ଞାନ କେନ୍ଦ୍ର ନିର୍ମାଣ ନିମନ୍ତେ ଜିଲା ପ୍ରଶାସନ, ଇଡ୍‌କୋ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Share