Categories: ବାଣିଜ୍ୟ

ଭିତ୍ତିଭୂମି ବିକାଶ ଲାଗି ରେଲଓ୍ବେ ଖର୍ଚ୍ଚ କରିବ ୧୮ ହଜାର କୋଟି

ନୂଆଦିଲ୍ଲୀ,୨୩-୧୦: ରେଲଓ୍ବେ ପକ୍ଷରୁ ଏକ ନୂଆ ଯୋଜନାରେ ୧୮ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭିତ୍ତିଭୂମି ଉନ୍ନତୀକରଣରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାପଡିଛି। ବିଶେଷ କରି ଟ୍ରେନଗୁଡିକର ସ୍ପିଡକୁ ଘଣ୍ଟା ପ୍ରତି ୧୬୦ କିମି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-କଲିକତା ରୁଟର ଭିତ୍ତିଭୂମି କାର୍ଯ୍ୟ ହାତକୁ ନିଆଯିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ କେଭି ଯାଦବ କହିଛନ୍ତି। ପ୍ରକଳ୍ପ କାର୍ଯ୍ୟ ୪ ବର୍ଷରେ ଶେଷ କରିବାକୁ ଯୋଜନା ରହିଥିବା ଅନ୍ତର୍ଜାତୀୟ ରେଳ ସମ୍ମିଳନୀ-୨୦୧୯କୁ ଉଦଘାଟନ କରି ସେ କହିଛନ୍ତି ଯେ, ଦୁଇଟି ବର୍ଗରେ ଦ୍ରୁତଗାମୀ ରେଳ ଚଳାଚଳ କରାଇବାକୁ ଯୋଜନା ରଖାଯାଇଛି। ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-କଲିକତା ରୁଟରେ ଘଣ୍ଟା ପ୍ରତି ୧୬୦ କିମି ଏବଂ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପରେ ଘଣ୍ଟା ପ୍ରତି ୩୨୦ କିମି ବେଗରେ ଟ୍ରେନ ଚଳାଚଳ ନେଇ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଟ୍ରେନର ସର୍ବାଧିକ ହାରାହାରି ବେଗ ଘଣ୍ଟା ପ୍ରତି ୯୯ କିମି ରହିଛି। ଦିଲ୍ଲୀ-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ହାରାହାରି ବେଗ ଦିଲ୍ଲୀ-କାନପୁର ସେକ୍ସନରେ ୧୦୪ କିମି ରହିଛି। ନୂଆ ଯୋଜନା ମୁତାବକ ଟ୍ରାକର ଉନ୍ନତୀକରଣ, ସିଗନାଲିଂ ଏବଂ ମାନବବିହୀନ ଲେଭଲ କ୍ରସିଂ ବାଦ ଦେବା ଭଳି ବିଭିନ୍ନ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି।

Share