ଭିତ୍ତିଭୂମି ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ଓଡ଼ିଶାରେ ୨ ଜଣଙ୍କ ଶରୀରରେ କରୋନା ପଜିଟିଭ୍‌ ଥିବା ଜଣାପଡିଲାଣି। ପ୍ରତିଦିନ ନମୁନା ପରୀକ୍ଷା କରାଯାଉଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ତେଣୁ ଏହାର ମୁକାବିଲା ପାଇଁ ଆବଶ୍ୟକ କେତେକ ମୌଳିକ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କରୋନା ମୁକାବିଲା ନିମନ୍ତେ ଉଦ୍ଦିଷ୍ଟ ଭିଡିଓ କନଫରେନ୍ସିଂ ବେଳେ ମୁଖ୍ୟମନ୍ତ୍ରୀ ଏହି ଦାବି ରଖିଛନ୍ତି।
ନବୀନ କହିଛନ୍ତି ଯେ, କରୋନା ସମ୍ପର୍କିତ ପରୀକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉ। ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲସ୍ତରରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯାଉ। ଏଥିସହିତ ଏହାକୁ ମାଗଣା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସ୍ବାସ୍ଥ୍ୟ କର୍ମୀ/ଆବଶ୍ୟକ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ମାସ୍କ ଏବଂ ବିପଜ୍ଜନକ ପରିସ୍ଥିତିରେ ଦରକାର ହେଉଥିବା ସ୍ବାସ୍ଥ୍ୟ ସାମଗ୍ରୀ ଦେବା ପାଇଁ ରାଜ୍ୟ ପକ୍ଷରୁ ଦାବି କରାଯାଇଛି। ସେହିଭଳି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅଧୀନରେ ଶ୍ରମିକମାନଙ୍କୁ ଅନୂ୍ୟନ ୫୦ ଦିନର ମଜୁରି ଯୋଗାଇ ଦିଆଯାଉ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ସହ ପିଏମ୍‌-କିଷାନ ଯୋଜନା ଅଧୀନରେ ଅତିରିକ୍ତ କିସ୍ତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଛି। ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା ଏବଂ ବିଶେଷଭାବେ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରସ୍ତାବ ଦିଆଯାଇଛି। ସେହିପରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଗୁଆ ଅର୍ଥ ପ୍ରଦାନ ନେଇ ପ୍ରସ୍ତାବ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟ ସମ୍ପର୍କିତ ଦାବି ରଖିବା ସମୟରେ କରୋନା ମୁକାବିଲା ନେଇ ଭାରତ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଥିଲେ। ବିଶେଷକରି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲଗାଯାଇଥିବା କଟକଣା, ବିଦେଶରେ ରହୁଥିବା ଭାରତୀୟଙ୍କୁ ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର ପାଇଁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେହିଭଳି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)କୁ ସଚଳ କରିଥିବାରୁ ମଧ୍ୟ କେନ୍ଦ୍ରକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Share