Categories: ଖେଳ

ଭିନେଶଙ୍କୁ ଲଗାତର ୨ୟ ସ୍ବର୍ଣ୍ଣ

ଇସ୍ତାନବୁଲ, ୧୪।୭ (ପି.ଟି.)- ତାରକା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ପୋଗତ୍‌ ଏଠାରେ ଚାଲିଥିବା ୟାସର ଡୋଗୁ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଅନୁଷ୍ଠିତ ମହିଳା ୫୩ କିଗ୍ରା ବିଭାଗରେ ଭିନେଶ ୯-୫ରେ ରୁଷିଆର ଏକତ୍ରିନା ପୋଲେଶ୍ଚୁକଙ୍କୁ ପରାସ୍ତ କରି ପୋଡିୟମ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଗତ ଏକ ସପ୍ତାହ ମଧ୍ୟରେ ଭିନେଶଙ୍କ ଏହା ୨ୟ ସ୍ବର୍ଣ୍ଣ ପଦକ ଥିଲା। ଏଥିପୂର୍ବରୁ ଗତ ସପ୍ତାହରେ ସ୍ପେନରେ ଅନୁଷ୍ଠିତ ହୋଇଥିବା ଗ୍ରାଁପ୍ରି ଟୁର୍ନାମେଣ୍ଟରେ ମଧ୍ୟ ସେ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ଏକତ୍ରିନାଙ୍କୁ ହରାଇବା ପରେ ଭିନେଶ ମହିଳା ବିଭାଗରେ ଭାରତ ପାଇଁ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ୫୦ କିଗ୍ରା ବର୍ଗରେ ସୀମା ଓ ୫୯ କିଗ୍ରାରେ ମଞ୍ଜୁ ପୋଡିୟମ ଶୀର୍ଷରେ ରହିଥିଲେ।
ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ସାକ୍ଷୀ ମଲିକ କିନ୍ତୁ ପଦକ ରାଉଣ୍ଡକୁ ପ୍ରବେଶ କରିବାରେ ବଞ୍ଚତ୍ତ ହୋଇଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲରେ ହାରିଥିବା ସାକ୍ଷୀଙ୍କୁ ବ୍ରୋଞ୍ଜ ପଦକ ମ୍ୟାଚ୍‌ ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ରିପେଜ୍‌ ରାଉଣ୍ଡରେ ମଧ୍ୟ ସେ ରୁଷିଆର ଉଲିଆନ ତୁକୁରନୋଭାଙ୍କଠାରୁ ହାରି ନିରାଶ କରିଥିଲେ। ପୁରୁଷ ଫ୍ରିଷ୍ଟାଇଲରେ ରାହୁଲ ଆଓ୍ବରେ ୬୧ କିଗ୍ରା ଓଜନ ବର୍ଗରେ ୪-୧ରେ ତୁର୍କୀର ମୁନିର ଅକତାସଙ୍କୁ ହରାଇ କ୍ୟାରିୟରର ପ୍ରଥମ ର଼୍ୟାଙ୍କିଙ୍ଗ ସିରିଜ ଟାଇଟଲ ଜିତିଛନ୍ତି। ଦୀପକ ପୁନିଆ (୮୬ କିଗ୍ରା)ରୌପ୍ୟ ଏବଂ ସୁମିତ୍‌ (୧୨୫ କିଗ୍ରା) ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି।

Share