Categories: ଖେଳ

ଭିନେଶ ଫୋଗାଟଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ, କହିଲେ ରଚିଛ ଇତିହାସ

ନୂଆଦିଲ୍ଲୀ, ୧୬।୦୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୧୭ ଭାରତୀୟ ଆଥଲେଟ୍‌ ଦଳ ସ଼୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଆୟୋଜିତ ଅଲିମ୍ପିକ୍ସରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଥିଲା । ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ତାଙ୍କର ଗୋଲ୍ଡ ମେଡାଲ୍‌ ମ୍ୟାଚ୍‌ର କିଛି ସମୟ ପୂର୍ବରୁ ମାତ୍ର ୧୦୦ ଗ୍ରାମ୍‌ ଓଜନ ଅଧିକ କାରଣରୁ ଆଯୋଗ୍ୟ ଘୋଷଣା କରାଯାଇଥିଲା । ଯାହାକୁ ନେଇ ଭିନେଶଙ୍କ ସମେତ ଭାରତୀୟ ପ୍ରଶଂସକ ଦୁଃଖ ପ୍ରକାଶ କରିଥିଲେ ।

ଭିନେଶ ଏନେଇ ଇଣ୍ଟରନାସନାଲ୍‌ କାଉନ୍ସିଲ୍‌ ଅଫ୍‌ ଆର୍ବିଟ୍ରେସନ୍‌ ଫର୍‌ ସ୍ପୋଟର୍‌ସରେ ଏକ ଯାଚିକା ଦାଏର କରିଥିଲେ । ହେଲେ ତାଙ୍କ ଅପିଲ୍‌ ଖାରଜ ହୋଇଯାଇଥିଲା । ସ଼୍ବଦେଶ ଫେରିଥିବା ଆଥ୍‌ଲେଟ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ଭିନେଶ ଫୋଗାଟଙ୍କୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ବିଷୟରେ ପଚାରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭିନେଶ ଫୋଗାଟଙ୍କ ବିଷୟରେ କହିବା ସହିତ ସମସ୍ତଙ୍କ ସାମ୍ନାରେ ତାଙ୍କୁ ପ୍ରଶଂସା କରିଥିଲେ ଏବଂ କୁସ୍ତିରେ ଫାଇନାଲରେ ପ୍ରବେଶ କରିଥିବା ଭିନେଶ ପ୍ରଥମ ଭାରତୀୟ ମହିଳା ହୋଇଥିଲେ, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ । ଯେତେବେଳେ ସ଼୍ବର୍ଣ୍ଣ ପଦକ ପାଇଁ ମ୍ୟାଚ୍‌ ପୂର୍ବରୁ ଭିିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା, ସେତେବେଳେ ପିଏମ ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ ଯେ ଭିନେଶ, ତୁମେ ସମଗ୍ର ଦେଶର ଗର୍ବ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା।

Share