ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ସମାଜର ବିକାଶରେ ସେମାନଙ୍କର ମଧ୍ୟ ଅବଦାନ ରହିଛି। ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦ୍ୱାରା ସେମାନେ ମଧ୍ୟ ଦକ୍ଷତା ଓ ପ୍ରତିଭା ଦେଖାଇ ପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ମଙ୍ଗଳବାର ଭୁବନେଶ୍ୱରର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଭିନ୍ନକ୍ଷମମାନେ ଯେପରି ସେମାନଙ୍କ ଅଧିକାରରୁ ବଞ୍ଚତ୍ତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ୮ଜଣ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ପୁରସ୍କାର ବାବଦରେ ସେମାନଙ୍କୁ ୨୫,୦୦୦ ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା। ପୁରସ୍କୃତ ବ୍ୟକ୍ତିମାନେ ହେଲେ ନୂଆପଡ଼ାର ରବି ଶବର, ଭଦ୍ରକର ମଦନ ମୋହନ ଚୌଧୁରୀ, ପୁରୀର ଗଜଲକ୍ଷ୍ମୀ ରାୟ, ଭଦ୍ରକର ରାଖାଲ କୁମାର ସେଠୀ, ରାୟଗଡ଼ାର ଅମରେନ୍ଦ୍ର ନାଥ, ଭୁବନେଶ୍ୱରର ସୁରେଶ ବେହେରା, ଅନୁଷ୍କା ଆଚାର୍ଯ୍ୟ ଓ ଦେବାଶିଷ ସେନାପତି। ମୁଖ୍ୟମନ୍ତ୍ରୀ ଦୁଇଜଣ ହିତାଧିକାରୀଙ୍କୁ ତିନିଚକିଆ ଗାଡ଼ି ଓ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ଲାପଟପ୍‌ ପ୍ରଦାନ କରିଥିଲେ। ସମ୍ବଲପୁର ଜିଲାକୁ ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ‘ବେଷ୍ଟ ପରଫର୍ମିଂ ଡିଷ୍ଟ୍ରିକ୍ଟ’ ଭାବେ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବାବଦରେ ୫୦,୦୦୦ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭିନ୍ନକ୍ଷମମାନଙ୍କ ଦ୍ୱାରା ଆୟୋଜିତ ଫଟୋ ପ୍ରଦର୍ଶନୀ ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏଥିସହିତ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ଓ୍ବେବ୍‌ପୋର୍ଟାଲ୍‌ ଓ ମୋବାଇଲ୍‌ ଆପ୍‌କୁ ଲୋକାର୍ପଣ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ, ବର୍ତ୍ତମାନ ରାଜ୍ୟରେ ୯ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଛି। ଖୁବ୍‌ଶୀଘ୍ର ଆଉ କେତେକ ଜିଲାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଶର୍ମା ଉପସ୍ଥିତ ଥିଲେ।

Share