Categories: ଖେଳ

ଭିନ୍ନକ୍ଷମ ବାଳକଙ୍କ ଗଲି କ୍ରିକେଟ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୨- ଦେଶରେ କ୍ରିକେଟକୁ ଫ୍ୟାନମାନେ ଧର୍ମ ଭଳି ମାନନ୍ତି। ଏହାର ଏକ ହୃଦୟବିଦାରକ ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିନ୍ନକ୍ଷମ ବାଳକ ଗଲି କ୍ରିକେଟ ଖେଳୁଥିବାର ଏକ ଭିଡିଓ ଆଇଏଫ୍‌ଏସ୍‌ ଅଫିସର ସୁଧା ରମଣ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ବ୍ୟାଟିଂ କରୁଥିବା ଭିନ୍ନକ୍ଷମ ବାଳକଙ୍କ ଗୋଡ଼ ଅଚଳ। ସେ ଶଟ୍‌ ଖେଳିବା ପରେ ରନ୍‌ ନେବା ପାଇଁ ହାତରେ ଘୁଷୁରି ଘୁଷୁରି ଚାଲୁଥିବାର ଦେଖିବାକୁ ମିଳୁଛି। ସୁଧା ଏହି ଭିଡିଓ କ୍ୟାପଶନରେ ଲେଖିଛନ୍ତି, ଏହା ମୋ ମୁହଁ ବନ୍ଦ କରି ଦେଇଛି। କ୍ରିକେଟପ୍ରେମୀ ଓ ଯେଉଁମାନେ ଏହାକୁ ଭଲ ପାଆନ୍ତି ନାହିଁ ନିଶ୍ଚିତ ଏହା ଦେଖନ୍ତୁ। ଫେସବୁକରେ ଏହି ଭିଡିଓକୁ ପାଇଲି। ଉକ୍ତ ବାଳକଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛି। ୫୭ ସେକେଣ୍ଡ ଲମ୍ବା ଭିଡିଓକୁ ଏ ପର୍ଯ୍ୟନ୍ତ ୫୩.୯ ହଜାର ୟୁଜର୍ସ ଦେଖି ସାରିଛନ୍ତି। ବହୁ ୟୁଜର୍ସ ଉକ୍ତ ବାଳକର ଖେଳ ପ୍ରତି ଉତ୍ସାହ ଓ ଭଲ ପାଇବାକୁ ପ୍ରଶଂସା କରିବା ସହ ତାଙ୍କୁ ହିରୋ ବୋଲି ଅଭିହିତ କରିଛନ୍ତି। କିଛି ୟୁଜର୍ସ ଭିନ୍ନକ୍ଷମ ବାଳକଙ୍କ ଅଧିକ ସୂଚନା ପାଇଁ ଅନୁରୋଧ କରିଛନ୍ତି। ଫଳରେ ସେମାନେ ତାଙ୍କୁ ସହାୟତା କରିପାରିବେ।

Share