ପ୍ର. ରମେଶ ଚନ୍ଦ୍ର ପରିଡ଼ା
ବିଗତ ପ୍ରାୟ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି, ଶିଳ୍ପ ବିପ୍ଳବର ଆରମ୍ଭ କାଳରୁ ଯାନ୍ତ୍ରିକ ସଭ୍ୟତାର ଦ୍ରୁତ ବିକାଶ ଘଟିଚାଲିଛି। ଫଳରେ ବଦଳିବାରେ ଲାଗିଛି ମଣିଷର ଜୀବନଚର୍ଯ୍ୟା। ତାହା କ୍ରମଶଃ ଶ୍ରମବିହୀନ ହେବାରେ ଲାଗିଛି । ଏକ ଆକଳନ ଅନୁସାରେ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ସାଧାରଣ ଲୋକଙ୍କ ମଧ୍ୟରୁ ପ୍ରାୟ ୮୬ ଶତାଂଶ ଶ୍ରମଜୀବୀ ଥିଲେ ଏବଂ ସେମାନେ ଦୈନିକ ହାରାହାରି ୯ରୁ ୧୧ ଘଣ୍ଟା ଶାରୀରିକ ଶ୍ରମ କରୁଥିଲେ। ଏବେ ତାହା ଯଥାକ୍ରମେ ୩୨ ଶତାଂଶ ଏବଂ ୪ରୁ ୬ଘଣ୍ଟାକୁ ହ୍ରାସ ପାଇଛି। ଫଳରେ ସୃଷ୍ଟି ହୋଇ ଚାଲିଛି ବିବିଧ ସ୍ବାସ୍ଥ୍ୟଗତ ସମସ୍ୟା। ଏହି ଧାରା ସମୟକ୍ରମେ ଦ୍ରୁତ ହେବାରେ ଲାଗିଛି ଏବଂ ସ୍ବୟଂଚାଳିତ ଯନ୍ତ୍ରପାତି ତଥା ରୋବଟ୍ର ବ୍ୟାପକ ବ୍ୟବହାର ଶାରୀରିକ ଶ୍ରମର ଅବକାଶକୁ ଆହୁରି ସଙ୍କୁଚିତ କରି ଚାଲିବ ବୋଲି ଆଶା କରାଯାଏ। ଅତଏବ ଏ ସମସ୍ୟା ଅଧିକ ଜଟିଳ ହେବାକୁ ଲାଗିବ।
ବର୍ତ୍ତମାନ ବିଶ୍ୱରେ ପ୍ରତି ୩ ଜଣରେ ଜଣେ ମହିଳା ଏବଂ ପ୍ରତି ୪ ଜଣରେ ଜଣେ ପୁରୁଷ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ମୁତାବକ ଦୈହିକ ଶ୍ରମ କରୁନାହାନ୍ତି। ବିଶ୍ୱସ୍ବାସ୍ଥ୍ୟ ସଂସ୍ଥାର ଅଧ୍ୟୟନ ଅନୁସାରେ ବିକଶିତ ଧନିକ ଦେଶଗୁଡ଼ିକରେ ଏ ସମସ୍ୟା ଅଣ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ବେଶ୍ ଅଧିକ। ଅନେକ ସ୍ଥାନରେ ତାହା ପ୍ରାୟ ଦୁଇ ଗୁଣ ବା ତତୋଧିକ। ଚଳିତ ଶତାବ୍ଦୀର ଆରମ୍ଭଠାରୁ ଏହା ବାର୍ଷିକ ପାଖାପାଖି ୫ ଶତାଂଶ ହାରରେ ବଢ଼ି ଚାଲିଛି। ଏହି କାରଣରୁ ସେଥି ସହିତ ତାଳ ଦେଇ ହୃଦ୍ରୋଗ, ଟାଇପ୍-୨ ମଧୁମେହ, ଉଚ୍ଚ ରକ୍ତଚାପ, ପୃଥୁଳତା ଏବଂ କେତେକ ଶ୍ରେଣୀର କର୍କଟରୋଗ ସମାନୁପାତିକ ଭାବେ ବଢ଼ିଚାଲିଥିବା ଜଣାପଡ଼ିଛି। ଫଳରେ ଏହା ପରିଣତ ହୋଇଛି ଏକ ମହାମାରୀରେ।
ଶ୍ରମବିହୀନ ଜୀବନ ହେତୁ ବଢ଼ି ଚାଲିଥିବା ପୃଥୁଳତା ସମ୍ପର୍କରେ ବିଶ୍ୱରେ ୧୯୫ଟି ଦେଶରେ ହୋଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଥିଲା ‘ ଦ ନିଉ ଇଂଲଣ୍ଡ ଜର୍ନାଲ ଅଫ୍ ମେଡିସିନ୍’ (୨୦୧୮)ରେ। ତହିଁରେ ସୂଚିତ କରାଯାଇଥିଲା ଯେ, ଏହି ଦେଶଗୁଡ଼ିକରେ ପ୍ରାୟ ୬୦୦ ନିୟୁତ ପ୍ରାପ୍ତବୟସ୍କ ଲୋକ ପୃଥୁଳକାୟ ଏବଂ ତନ୍ମଧ୍ୟରୁ ସର୍ବାଧିକ ଥିଲେ ଆମେରିକାର (୭୯.୪ ନିୟୁତ) ଏବଂ ତା’ ପଛକୁ ଚାଇନାର (୫୭.୩ ନିୟୁତ)। ଅନ୍ୟପକ୍ଷରେ ପ୍ରାୟ ୧୦୮ ନିୟୁତ ଶିଶୁଙ୍କ ମଧ୍ୟରୁ ସର୍ବାଧିକ (୧୫.୩ ନିୟୁତ) ଚାଇନାର ହେଲାବେଳେ ଦ୍ୱିତୀୟ ସ୍ଥାନରେ ଥିଲା ଭାରତ (୧୪.୪ ନିୟୁତ)। ଶ୍ରମବିହୀନ ଜୀବନ ବ୍ୟତୀତ ଅସ୍ବାସ୍ଥ୍ୟକର ଖାଦ୍ୟ (ଫାଷ୍ଟଫୁଡ୍ ଇତ୍ୟାଦି) ଏବଂ ଜିନୀୟ କାରଣକୁ ବି ଏଥିପାଇଁ ଦାୟୀ କରାଯାଇଛି।
ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ଦ୍ୱାରା ୨୦୧୬ ମସିହାରେ ଅନୁଷ୍ଠିତ ଏକ ଆକଳନ ଅନୁସାରେ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଯଥେଷ୍ଟ ଶାରୀରିକ ଶ୍ରମ କରୁ ନ ଥିବା ସର୍ବାଧିକ ଅକର୍ମଠ ବା ଅଳସୁଆ ଅଛନ୍ତି କୁଏତ୍, ସାଉଦି ଆରବ, ଇରାକ୍, ବ୍ରାଜିଲ୍ ଏବଂ କୋଷ୍ଟାରିକାରେ। କୁଏତ୍ରେ ଏହା ୬୭% ହେଲାବେଳେ ସାଉଦି ଆରବରେ ୫୩.୧%, ଇରାକରେ ୫୨%, ବ୍ରାଜିଲ୍ରେ ୪୭% ଏବଂ କୋଷ୍ଟାରିକାରେ ୪୬.୧%। ସେହିପରି ଆମେରିକାରେ ୪୦%, ଇଂଲଣ୍ଡରେ ୩୬%, ଭାରତରେ ୩୪% ଏବଂ ଚାଇନାରେ ୧୩% ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ସବୁଠାରୁ ଅଧିକ ଶାରୀରିକ ଶ୍ରମ କରୁଥିବା ଅର୍ଥାତ୍ କର୍ମଠ ଲୋକ ହେଲେ ଆଫ୍ରିକୀୟ। ଏଠାର ଉଗାଣ୍ଡାରେ ଅକର୍ମଠଙ୍କ ସଂଖ୍ୟା ମାତ୍ର ୫.୫%, ମୋଜାମ୍ବିକ୍ରେ ୫.୬%, ଲେସୋଥୋରେ ୬.୩%, ତାଞ୍ଜାନିଆରେ ୬.୫% ଏବଂ ଟୋଂଗୋରେ ୯.୮%। ଲୋକଙ୍କ ଅର୍ଥନୈତିକ ସ୍ଥିତି ସବୁବେଳେ ସେମାନଙ୍କ ଅକର୍ମଠତାର କାରଣ ନୁହେଁ। ସେଥିପାଇଁ ବିକଶିତ ଦେଶ ରୁଷିଆ, ଚାଇନା, ସ୍ବିଡେନ୍, ଫିନ୍ଲାଣ୍ଡ ଭଳି ସ୍ବଚ୍ଛଳ ଦେଶର ଲୋକେ ଅଧିକ କର୍ମଠ ହେବାବେଳେ ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଭଳି ଦେଶରେ ସେମାନେ ଅପେକ୍ଷାକୃତ ଅକର୍ମଠ ବା ଅଳସୁଆ।
ଆଳସ୍ୟ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନର ପରିପନ୍ଥୀ ବୋଲି ମତ ବାଢ଼ନ୍ତି ଉପରୋକ୍ତ ଅଧ୍ୟୟନର ମୁଖ୍ୟ ଡ.ରୋଜିନା ଗୁଥୋଲଡ୍। ତଦନୁଯାୟୀ ଦୁନିଆରେ ଅନ୍ୟାନ୍ୟ ବଡ଼ ବଡ଼ ସ୍ବାସ୍ଥ୍ୟସଙ୍କଟ ସମ୍ପର୍କରେ ଆମେ ଯେତେ ସଚେତନ ଏହା ସମ୍ପର୍କରେ ସେତିକି ନୁହେଁ। ତାଙ୍କ ମତରେ ଅତିକମ୍ରେ ସପ୍ତାହକୁ ସ୍ବାସ୍ଥ୍ୟାବସ୍ଥା ଏବଂ ବୟସ ଉପରେ ନିର୍ଭର କରି ୧୫୦ରୁ ୨୦୦ ମିନିଟ୍ ସାଧାରଣଭାବେ ଏବଂ ୭୫ରୁ ୧୦୦ ମିନିଟ୍ କଠୋରଭାବେ ଶାରୀରିକ ଶ୍ରମ କରିବା ନିହାତି ଦରକାର।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ କର୍ମଠତାର ଉପାଦେୟତାକୁ ନେଇ ଅନ୍ୟ ଏକ ବିବରଣୀ ପ୍ରକାଶିତ ହୋଇଛି ‘ମାଇଓକ୍ଲିନିକ୍ ପ୍ରୋସିଡିଙ୍ଗ୍ସ’ ଅକ୍ଟୋବର ୨୦୧୮ ସଂଖ୍ୟାରେ। ଏଥିରେ ସ୍ଥାନିତ ହୋଇଛି ଦୀର୍ଘ ୨୫ ବର୍ଷ ଧରି ବ୍ରିଟେନ୍ର ୮,୬୦୦ ନାରୀ ଓ ପୁରୁଷଙ୍କ ସମ୍ପର୍କରେ ଚାଲିଥିବା ଏକ ଅଧ୍ୟୟନର ଫଳାଫଳ। ତହିଁରୁ ଜଣାପଡିଛି ଯେ କର୍ମଠତା ବା ଶାରୀରିକ ଶ୍ରମ ସହିତ ସ୍ବାସ୍ଥ୍ୟ ଏବଂ ଆୟୁଷର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ବିଭିନ୍ନ ପ୍ରକାର କର୍ମ ଏହାକୁ ଭିନ୍ନ ଭିନ୍ନ ଭାବେ ପ୍ରଭାବିତ କରିଥାଏ। ଉଦାହରଣସ୍ବରୂପ ସପ୍ତାହକୁ ୪ ଘଣ୍ଟା ବା ଅଧିକ ସମୟ ଧରି ସାଇକେଲ ଚାଳନା କରୁଥିବା, ଟେନିସ୍, ବ୍ୟାଡ୍ମିଣ୍ଟନ ଓ ଫୁଟବଲ ଖେଳୁଥିବା ଏବଂ ଦୌଡ଼ୁଥିବା ଲୋକଙ୍କ ଆୟୁଷ ହାରାହାରି ଭାବେ ଯଥାକ୍ରମେ ୩.୨, ୯.୭ ଏବଂ ୬.୨ ବର୍ଷ ଅଧିକ। ପୁନଶ୍ଚ ସେମାନେ ମଧ୍ୟ ଅଧିକ ସୁସ୍ଥ ଓ ସତେଜ, ତେବେ ଏପରି ଭିନ୍ନ ଭିନ୍ନ ପ୍ରକାର ଶ୍ରମର ପ୍ରଭାବ କାହିଁକି ଭିନ୍ନ ଭିନ୍ନ ହେଉଛି ତାହାର କାରଣ ଜଣାପଡିନାହିଁ।
ଏକ ଅନୁରୂପ ଉପସଂହାର ମିଳିଛି ଆମେରିକାର କ୍ଲେଭେଲ୍ୟାଣ୍ଡ କ୍ଲିନିକର ଶରୀର ବିଜ୍ଞାନୀମାନେ ବିଗତ କିଛିବର୍ଷ ଧରି ଚଳାଇ ଆସିଥିବା ଅଧ୍ୟୟନରୁ। ‘ଦ ଜର୍ନାଲ ଅଫ୍ ଆମେରିକାନ୍ ମେଡିକାଲ୍ ଆସୋସିଏଶନ (ନଭେମ୍ବର ୨୦୧୮)ର ସଂଖ୍ୟାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ, ଶରୀରର କର୍ମ ଦକ୍ଷତା ପାଇଁ ଶ୍ରମ ଏକାନ୍ତ ଆବଶ୍ୟକ ଏବଂ ଏହି କର୍ମଦକ୍ଷତା ସହିିତ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ଦୀର୍ଘ ଜୀବନର। ଏହାର ମୁଖ୍ୟ ଲେଖକ ଡ. ଓ୍ବାଏଲ୍ ଜାବର୍ଙ୍କ ସୂଚନାନୁସାରେ ଜଣେ ସକ୍ରିୟଭାବେ ଶାରୀରିକ ଶ୍ରମ କରୁଥିବା ବ୍ୟକ୍ତି ତୁଳନାରେ ଜଣେ ଆଳସ୍ୟପରାୟଣ ଲୋକର ଅକାଳ ମୃତ୍ୟୁବରଣ କରିବାର ସମ୍ଭାବନା ୧୦/୧୫ ଶତାଂଶ ଅଧିକ।
ଏସବୁ ମନକୁ ପ୍ରଶ୍ନଟିଏ ଆସିଥାଏ- ଆମେ ସମସ୍ତେ ଜାଣୁ ଯେ ଶ୍ରମହୀନ ଜୀବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁର କାରଣ ହୋଇଥାଏ। ସେଥିପାଇଁ ଏହାକୁ ଭିନ୍ନ ଏକ ମହାମାରୀ ବୋଲି କୁହାଯାଉଛି। ତା’ ସତ୍ତ୍ୱେ ବି ଆମେ କାହିଁକି ଆଳସ୍ୟକୁ ପସନ୍ଦ କରୁ ? ବ୍ରିଟିଶ୍ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଥ୍ୟୁ ବୋରିସ୍ ପୋଣ୍ଟିରଙ୍କ ଅଧ୍ୟୟନ ଏବେ ଏହା ଉପରେ ଆଲୋକପାତ କରିଛି। ‘ନ୍ୟୁରୋ ସାଇକୋଲୋଜିଆ’ ପତ୍ରିକାରେ ପ୍ରକାଶିତ ଏଥି ସମ୍ପର୍କିତ ତାଙ୍କର ଏକ ନିବନ୍ଧରେ ସେ ଦର୍ଶାଇଛନ୍ତି ଯେ, ସମ୍ଭବତଃ ‘ଆମ ମସ୍ତିଷ୍କ କୌଣସି ମତେ ଏଥିପାଇଁ ଅଭିପ୍ରେତ।’ କାରଣ ଆମେ ଶ୍ରମ କଲାବେଳେ ଏହାକୁ ମଧ୍ୟ ଅଧିକ କାମ କରିବାକୁ ପଡିଥାଏ। ଏଥିରେ ତାହାର ସଂସାଧନ ଅଧିକ ମାତ୍ରାରେ ବ୍ୟୟ ହୁଏ। ତେଣୁ ତାହା ଆଳସ୍ୟ ଏବଂ କମ୍ ଶ୍ରମ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ। ତେବେ ସୁସ୍ଥ ଓ ଦୀର୍ଘଜୀବନ ପାଇଁ ଆମକୁ ଏଭଳି ପ୍ରବୃତ୍ତିକୁ ଅତିକ୍ରମ କରିବାକୁ ହେବ। ସମଗ୍ର ବିଶ୍ୱରେ ଆଳସ୍ୟ ଏବଂ ତଜ୍ଜନିତ ରୋଗ ସମ୍ପର୍କରେ ଏକ ବିବରଣୀ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ‘ଲାନସେଟ୍ ଗ୍ଲୋବାଲ ହେଲ୍ଥ’ ପତ୍ରିକାରେ। ତଦନୁଯାୟୀ ଏବେ ( ସେପ୍ଟେମ୍ବର ୨୦୧୮) ଏହାର ୧.୪ ହଜାର ନିୟୁତ ପ୍ରାପ୍ତ ବୟସ୍କ ଲୋକ ବିବିଧ ଅଣ ସଂକ୍ରମିତ ରୋଗ ବା ଜୀବନଚର୍ଯ୍ୟାଜନିତ ରୋଗର ସମ୍ମୁଖୀନ। ସେଥିପାଇଁ ଆଗାମୀ ୨୦୨୫ ମସିହା ସୁଦ୍ଧା କମ୍ ଦୈହିକ ଶ୍ରମ ବା ଆଳସ୍ୟକୁ ୧୦ରୁ ୧୫ ପ୍ରତିଶତ ହ୍ରାସ କରିବାକୁ ଏହା ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ସଚେତନତା ପ୍ରସାର ମାଧ୍ୟମରେ ଏଥିରେ ସହଯୋଗ କରିବା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଛି।
୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭