ଭିନ୍ନ ଭଙ୍ଗୀ: ଚର୍ଚ୍ଚାରେ ମାଧବ

ବଅଁରପାଳ, ୪।୨ (ଡି.ଏନ.ଏ.)

୫୫ ନମ୍ବର ଜାତୀୟ ରାଜପଥର ବଅଁରପାଳ ବସ୍‌ଷ୍ଟାଣ୍ଡ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ହୋମଗାର୍ଡ ମାଧବ ଗୋଚ୍ଛାୟତ ଏବେ ଚର୍ଚ୍ଚାରେ। ଟ୍ରାଫିକ ନିୟନ୍ତ୍ରଣରେ ଭିନ୍ନ ଅଙ୍ଗଭଙ୍ଗୀ ତାଙ୍କୁ ଅନ୍ୟ ହୋମଗାର୍ଡମାନଙ୍କଠାରୁ ସ୍ବତନ୍ତ୍ର କରିଦେଇଛି। ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କୁ ମଧ୍ୟ ମାଧବଙ୍କ ଭିନ୍ନ ଶୈଳୀ ବେଶ୍‌ ପସନ୍ଦ ଆସିଛି।
ଜନଗହଳିପୂର୍ଣ୍ଣ ବଅଁରପାଳ ବସ୍‌ଷ୍ଟାଣ୍ଡଠାରେ ୫୫ ନମ୍ବର ଜାତୀୟ ରାଜପଥ ୧୪୯ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ଏହି ଛକଦେଇ ଚଳାଚଳ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପରିବର୍ତ୍ତେ କେତେଜଣ ହୋମଗାର୍ଡଙ୍କ ଉପରେ ଦାୟିତ୍ୱ ଛାଡ଼ିଦିଆଯାଇଛି। ସମ୍ପୃକ୍ତ ହୋମଗାର୍ଡମାନଙ୍କ ମଧ୍ୟରେ ରହିଛନ୍ତି ବଅଁରପାଳ ଥାନାରେ କାର୍ଯ୍ୟ କରୁଥିବା ମାଧବ ଗୋଚ୍ଛାୟତ। ତାଙ୍କ ଘର ସ୍ଥାନୀୟ ତୁଳସୀପାଳ ଗ୍ରାମରେ। ଏଠାରେ ଡ୍ୟୁଟି ସମୟରେ ମାଧବ କରୁଥିବା ଭିନ୍ନ ଅଙ୍ଗଭଙ୍ଗୀ ତାଙ୍କୁ ଅନ୍ୟମାନଙ୍କ ନିକଟରେ ପରିଚିତ କରିପାରିଛି। କେତେବେଳେ ସେ ନୃତ୍ୟ ଶୈଳୀରେ ତ କେତେବେଳେ ନଇଁପଡ଼ି ଟ୍ରାଫିକ ପରିଚାଳନା କରୁଥିବା ଦେଖାଯାଉଛି। ବଅଁରପାଳ ଥାନାରେ ଦୀର୍ଘବର୍ଷ ଧରି ଚାକିରି କରିଥିବା ମାଧବ ଏହି ଛକରେ ମଧ୍ୟ ବହୁଦିନ ହେଲା ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଏଠାରେ କାର୍ଯ୍ୟରତ ହୋମଗାର୍ଡମାନଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ସେମାନେ ବିପଦସଙ୍କୁଳ ଅବସ୍ଥାରେ ଟ୍ରାଫିକ ପରିଚାଳନା କରୁଥିବା ଦେଖାଯାଉଛି। ଛକରେ ଥିବା ଟ୍ରାଫିକ ପୋଷ୍ଟ ଦୀର୍ଘ ଦିନ ହେବ ଭଗ୍ନ ଅବସ୍ଥାରେ ପଡ଼ିଥିଲେ ବି ନୂତନ ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ମାଧବ କୁହନ୍ତି, ଦୀର୍ଘ ଦିନ ଧରି ଏହି ଟ୍ରାଫିକ ଛକରେ କାର୍ଯ୍ୟ କରୁଛି। ଗାଡ଼ି ଚାଳକମାନଙ୍କୁ ଏହି ଭିନ୍ନ ଶୈଳୀ ପସନ୍ଦ ଆସୁଥିବା ଦେଖି ଖୁସି ଲାଗୁଛି।

Share