ଭିମ୍‌ସାରରେ ଉନ୍ନୟନ ସଚିବ ସୁରେଶ ମହାପାତ୍ର:ରୋଗୀସେବା ବ୍ୟାହତ ନ କରିବାକୁ ପରାମର୍ଶ

ସମ୍ବଲପୁର,୨୭-୧୧ (ବ୍ୟୁରୋ):ସମ୍ବଲପୁର ବୁର୍ଲା ସ୍ଥିତ ଭିମ୍‌ସାରକୁ ମଙ୍ଗଳବାର ଉନ୍ନୟନ ସଚିବ ସୁରେଶ ମହାପାତ୍ର ଦିନିକିଆ ଗସ୍ତ କରି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭିମ୍‌ସାର ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସେ ସମୀକ୍ଷା କରିଛନ୍ତି। ନିରାମୟ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ସହିତ ଯେଉଁ ସବୁ ଔଷଧ କାଉଣ୍ଟରରେ ମହଜୁଦ ନ ଥିବ ବାହାରୁ କିଣି ରୋଗୀଙ୍କୁ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରୋଗୀସେବା ଯେଭଳି ପ୍ରଭାବିତ ନ ହେବ ସେ ଦିଗରେ ସମସ୍ତ ଡାକ୍ତର ଓ କର୍ମଚାରୀମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ବହୁ ଦିନରୁ ଖାଲି ଥିବା ନେଫ୍ରୋଲୋଜି ବିଭାଗକୁ ଜଣେ ଡାକ୍ତରଙ୍କୁ ଡେପୁଟେସନ୍‌ରେ ଦିଆଯିବ ବୋଲି ସେ କହିଛନ୍ତି। ଭିମ୍‌ସାରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ଶୀଘ୍ର ସାରିବାକୁ ସେ ଜିଲାପାଳ ଶୁଭମ୍‌ ସକସେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଲି ପଡିଥିବା ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦଗୁଡିକ ପୂରଣ କରିବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଯଦି ଆବଶ୍ୟକ ପଡେ କର୍ତ୍ତୃପକ୍ଷ ବାହାରୁ ଅସ୍ଥାୟୀ ଭାବେ ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଦେଇପାରିବେ ବୋଲି ସଚିବ କହିଥିଲେ। ଏହି ଅବସରରେ କନିଷ୍ଠ ଡାକ୍ତର ସଂଘ (ଜେଡିୟୁ) ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଖୁବ୍‌ ଶୀଘ୍ର ଦାବିଗୁଡିକ ପୂରଣ କରାଯିବ ବୋଲି ସଚିବ କନିଷ୍ଠ ଡାକ୍ତର ସଂଘକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସଚିବ ମହାପାତ୍ର କହିଛନ୍ତି ଯେ, ବୁର୍ଲା ମେଡିକାଲରେ ଥିବା ସମସ୍ୟା ଗୁଡିକ ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଯଥା ସମ୍ଭବ ସବୁ ସମସ୍ୟାର ସମାଧାନ କରାଯିବ। ସ୍ଥାୟୀ ନିର୍ଦ୍ଦେଶକ ପଦ ପାଇଁ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଛି। ହେଲେ ସେ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଜଣେ ଡାକ୍ତରଙ୍କୁ ନିର୍ଦ୍ଦେଶକ ପଦ ସମ୍ଭାଳିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ସଚିବ ମହାପାତ୍ର କହିଥିଲେ।

Share