Categories: ମେଟ୍ରୋ

ଭିଲ୍ଲା ଛକ ଖୋଲା ଡ୍ରେନ୍‌ରେ ଭାସି ବୃଦ୍ଧାଙ୍କ ମୃତ୍ୟୁ ଘଟଣା: ସ୍ଲାବ୍‌ ପକାଇଲା ବିଏମ୍‌ସି

ଭୁବନେଶ୍ୱର,୧।୮(ବ୍ୟୁରୋ): ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗତ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ଉକ୍ତ ଡ୍ରେନରେ ସ୍ଲାବ୍‌ ପଡ଼ିଛି। ଡ୍ରେନର ଚତୁଃପାର୍ଶ୍ୱରେ ବାଉଁଶ ବନ୍ଧାଯିବା ନେଇ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ସେଠାରେ ସ୍ଲାବ ପକାଇବା କାମ ଆରମ୍ଭ କରିଛି। ଡ୍ରେନର ଆରମ୍ଭରୁ ୩୦ ମିଟର ଯାଏଁ ଏହି ସ୍ଲାବ ପଡ଼ିଥିବା ବେଳେ ସହରର ଅନ୍ୟ ଡ୍ରେନଗୁଡିକରେ ଖୁବ୍‌ଶୀଘ୍ର ଢାଙ୍କୁଣି ପଡ଼ିବ ବୋଲି ଜଣାପଡ଼ିଛି। ଏଥିସହ ରାସ୍ତାର ଦୁଇ ପାର୍ଶ୍ୱକୁ ସମାନ କରାଯାଇ ଯାତାୟାତ ଉପଯୋଗୀ କରାଯାଇଛି।
ସୂଚନାଥାଉ କି, ଉକ୍ତ ଡ୍ରେନ ଉପରେ ଢାଙ୍କୁଣି ପକାଇବାକୁ ବିଧାୟକ ସୁଶାନ୍ତ ରାଉତ ବିଏମ୍‌ସି କମିଶନରଙ୍କ ସହ ଆଲୋଚନା କରିଥିଲେ। ପରେ ବିଏମ୍‌ସି ପକ୍ଷରୁ ସେଠାରେ ବାଉଁଶ ବନ୍ଧା ଯାଇଥିଲା। ଧରିତ୍ରୀରେ ଖବର ପ୍ରକାଶ ହେବା ପରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହାର ସ୍ଥାୟୀ ସମାଧାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଥାଉ କି, ଏବେ ସହରର ପ୍ରତ୍ୟେକ ଡ୍ରେନରେ ସ୍ଲାବ୍‌ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଏମ୍‌ସି ଖୋଲା ନାଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଡ୍ରେନେଜ ବିଭାଗୀୟ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆଙ୍କ ନେତୃତ୍ୱରେ ଏ ନେଇ କାର୍ଯ୍ୟ ଜାରି ରହିଛି। ସ୍ଲାବ୍‌ ପଡ଼ିବା ଲାଗି କେତେ କ’ଣ ଖର୍ଚ୍ଚ ହେବ ସେନେଇ ଏବେ ଆକଳନ କରାଯାଉଛି। ଅର୍ଥ ବ୍ୟୟ ବରାଦ ସ୍ଥିର କରାଯିବା ପରେ ବିଭାଗୀୟ କର୍ତ୍ତୃପକ୍ଷମାନେ ନାଳ ଉପରେ ସ୍ଲାବ ପକାଇବା ଆରମ୍ଭ କରିବେ ବୋଲି ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।

Share