Categories: ରାଜ୍ୟ

ଭିସୁଟ୍‌ରେ ଛାତ୍ରଙ୍କୁ ର଼୍ୟାଗିଂ ମାମଲା:୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୯(ବ୍ୟୁରୋ): ସମ୍ବଲପୁରର ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ଛାତ୍ରଙ୍କୁ ର଼୍ୟାଗିଂ ମାମଲାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଶନିବାର କମିଶନ ଏହି ମାମଲାର ଶୁଣାଣି କରି ସମ୍ବଲପୁର ଆର୍‌ଡିସିପି, ଏସ୍‌ପି ଓ ଭିସୁଟ୍‌ କୁଳପତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୩୦ ଦିନ ମଧ୍ୟରେ ତଦନ୍ତ କରି କ’ଣ କାର୍ଯ୍ୟାକୁଷ୍ଠାନ ନିଆଯାଇଛି ସେ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୨ ତାରିଖରେ କଲେଜର ସିନିୟର ଛାତ୍ରମାନେ ପ୍ରାୟ ୪୦ରୁ ୫୦ଜଣ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ସିନିୟର ଛାତ୍ରମାନେ ଜୁନିୟର ଛାତ୍ରଙ୍କ ଶାର୍ଟ ଚିରି କାନ ଧରି ଉଠବସ୍‌ କରାଉଥିଲେ। ଅନ୍ତଃବସ୍ତ୍ର ପିନ୍ଧି ଏକସଙ୍ଗେ ନାଚିବାକୁ କୁହାଯାଉଥିଲା। ଏହାକୁ ଜୁନିୟର ଛାତ୍ର ବିରୋଧ କରିବାକୁ ସିନିୟର ଛାତ୍ର ମାଡ଼ ମାରୁଥିଲେ। ଏପରିକି କଲେଜ ଶିଡିରେ ବିପଦପୂର୍ଣ୍ଣ ଅବସ୍ଥାରେ ଦୌଡିବାକୁ ନିର୍ଦ୍ଦେଶ ଦିଆଯାଉଥିଲା। କିଛି ସିନିୟର ଛାତ୍ର ବାଡିରେ ଜୁନିୟରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିଲେ। ଭୟରେ ଛାତ୍ରମାନେ ସିନିୟରଙ୍କ ନିର୍ଦ୍ଦେଶକୁ ମାନି ନେଉଥିବା ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ଘଟଣା ପଦାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ତୁରନ୍ତ ଏକ ଜରୁରୀ ବୈଠକ ଡକାଇଥିଲେ। ତଦନ୍ତ ପରେ ୧୦ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ପରୀକ୍ଷାରୁ ବଞ୍ଚତ୍ତ କରିଥିଲେ। ଏହାସହ ୫୨ ଜଣ ଛାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।