ଭିସୁଟ୍‌ରେ ର଼୍ୟାଗିଂ

ସମ୍ବଲପୁର,୨୩ା୮(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ର଼୍ୟାଗିଂ ଭିଡିଓ ଭାଇରାଲ ହୋଇଛି। ପ୍ରଥମ ବର୍ଷର ଛାତ୍ରମାନଙ୍କୁ ସିନିୟର ଛାତ୍ରମାନେ ର଼୍ୟାଗିଂ କରୁଥିବା ଏହି ଭିଡିଓରୁ ଜଣାପଡିଛି। ଏହାକୁ ନେଇ କୁଳପତି ଅଟଳ ଚୌଧୁରୀ ଗୁରୁବାର ସନ୍ଧ୍ୟାରେ କଲେଜ ଅଧିକାରୀଙ୍କୁ ଏକ ଜରୁରୀ ବୈଠକ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତକୁ ଆଧାର କରି ୧୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ଗୋଟିଏ ବର୍ଷ ପାଇଁ ପରୀକ୍ଷାରୁ ବଞ୍ଚତ୍ତ ହେବେ ବୋଲି କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ୫୨ ଜଣ ଛାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ା
ଭାଇରାଲ ଭିଡିଓରେ ସିନିୟର ଛାତ୍ରମାନେ ପ୍ରାୟ ୪୦ରୁ ୫୦ଜଣ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ କରୁଥିବା ଦେଖିବାକୁ ମିଳିଛି। ସିନିୟର ଛାତ୍ରମାନେ ଜୁନିୟର ଛାତ୍ରଙ୍କ ଶାର୍ଟ ଚିରି କାନ ଧରି ଉଠବସ କରାଉଛନ୍ତି। ଏପରି କି ଅନ୍ତଃବସ୍ତ୍ର ପିନ୍ଧି ଏକା ସାଥିରେ ନାଚିବାକୁ କୁହାଯାଉଛି। ଏହାକୁ ବିରୋଧ କରିବାରୁ ଜୁନିୟର ଛାତ୍ରମାନଙ୍କୁ ସିନିୟର ଛାତ୍ର ମାଡ଼ ମାରୁଥିବା ଭିଡିଓରେ ରହିଛି। ଏପରି କି କଲେଜ ଶିଡ଼ିରେ ଛାତ୍ରମାନଙ୍କୁ ଦୌଡିବାକୁ ନିର୍ଦ୍ଦେଶ ଦିଆଯାଉଛି। କିଛି ସିନିୟର ଛାତ୍ର ବାଡ଼ିରେ ଜୁନିୟରଙ୍କୁ ବାଡ଼େଇ ଗୋଡ଼ାଉ ଥିବା ଭିଡିଓରେ ରହିଛି। ଭୟରେ ଛାତ୍ରମାନେ ସିନିୟରଙ୍କ ନିର୍ଦ୍ଦେଶ ମାନି ନେଉଛନ୍ତି। ଏଭଳି ଘଟଣାର ଭିଡିଓ କିଛି ଛାତ୍ର ଉତ୍ତୋଳନ କରିଥିଲେ, ଯାହାକି ବର୍ତ୍ତମାନ ଭାଇରାଲ ହୋଇଛି। ଏନେଇ ଭିସୁଟ୍‌ କୁଳପତି ଚୌଧୁରୀ କୁହନ୍ତି, ଛାତ୍ରମାନଙ୍କୁ ର଼୍ୟାଗିଂ କରିବା ଏକ ଦଣ୍ଡନୀୟ ଅପରାଧ। କଲେଜ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।