ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ

ପାଟଣା,୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଦୀଘା ମୈତ୍ରୀପୁର ଅଞ୍ଚଳର ଯୁବକ ରାଜେନ୍ଦ୍ର ପ୍ରସାଦ ସିଂ(୩୫)।
ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ସ୍ଥାନୀୟ ଅଳଙ୍କାରପୁର ସମବାୟ ସମିତିର ୬ଜଣ ଲୋକ ଭୀମକୁଣ୍ଡ ବୁଲିବା ପାଇଁ ଆସିଥିଲେ। ରାଜେନ୍ଦ୍ର ଗାଧୋଉ ଥିବା ବେଳେ ଭୀମକୁଣ୍ଡ ସ୍ରୋତରେ ଭାସି ଯାଇଥିବା ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ଏନେଇ ଠାକୁରମୁଣ୍ଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏଏସ୍‌ଆଇ ଅକ୍ଷୟ କୁମାର ସାହୁ ସୂଚନା ଦେଇଛନ୍ତି।