ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଷ୍ଟାଫ୍‌ନର୍ସଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

ବଲାଙ୍ଗୀର ଅଫିସ, ୧୫।୨- ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଗତ ଗୁରୁବାର ରାତିରେ ଦୁଇଜଣ ବ୍ୟକ୍ତି ଜଣେ କାର୍ଯ୍ୟରତା ଷ୍ଟାଫନର୍ସଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ଷ୍ଟାଫନର୍ସମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନୀ ଦେଇଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନର୍ସଙ୍କୁ ମାଡ଼ ଘଟଣାରେ କେହି ଗିରଫ ନ ହେବା ପରେ ଶନିବାର ସକାଳୁ ନର୍ସମାନେ ହସ୍‌ପିଟାଲ ପରିସରରେ ଧାରଣାରେ ବସିଥିଲେ। ଅପରାହ୍ନରେ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ମାଡକର, ଭୀମଭୋଇ ମେଡିକାଲ କଲେଜ ଡିନ୍‌ ଡା. ଲଳିତ କୁମାର ମେହେର, ସୁପରିଟେଣ୍ଡେଣ୍ଟ ଡା ମହେନ୍ଦ୍ର କୁମାର ନାୟକ ହସ୍‌ପିଟାଲକୁ ଯାଇ ଧାରଣାରତ ନର୍ସଙ୍କୁ ଭେଟି ବୁଝାଇଥିଲେ । ଆଗାମୀ ୭ ଦିନ ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

Share