ଭୀମରାଓପେଟାରେ ଜୁଆଆଡ୍ଡା ଉପରେ ଚଢ଼ାଉ: ୨ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଗିରଫ, ୭ ଲକ୍ଷ ୬୮ ହଜାର,୧୬ମୋବାଇଲଜବତ

ବ୍ରହ୍ମପୁର ଅଫିସ ,୧୧।୧୦: ଗଞ୍ଜାମ ଜିଲା ଟାଉନ ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭିମାରାଓପେଟାରେ ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଏଥିରେ ବ୍ରହ୍ମପୁର ମହାନଗର ନିଗମର ୨ଜଣ ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ଆମ ପୋଲିସର ଜଣେ କାର୍ଯ୍ୟକର୍ତ୍ତା ଏହି ଜୁଆ ଖେଳର ଆୟୋଜକ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ପ୍ରକାଶ ଯେ, ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ଜୁଆ ଖେଳ ଚାଲିୁଥିଲା। ଟାଉନ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଅଚାନକ ସେଠାରେ ଚଢ଼ାଉକରି ୧୫ ଜଣଙ୍କୁ ଗିରଫ କରିଛନ୍ତି। ଜୁଆ ଆଡ୍ଡାରୁ ପୋଲିସ ୭ ଲକ୍ଷ ୬୮ ହଜାର ୭୧୦ ଟଙ୍କା, ୧୬ଟି ମୋବାଇଲ, ୫ଟି ବାଇକ୍‌, ମଦ ବୋତଲ ଓ ଖେଳ ପ୍ରସ୍ତୁତି ସରଞ୍ଜାମ ଜବତ ହୋଇଛି। ଗିରଫ ଜୁଆଡ଼ିଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି ।