ଭୁବନପୁରରେ ହାତୀ ଉପଦ୍ରବ: ଭାଙ୍ଗିଲେ ୨ ଶହ ଆମ୍ବଗଛ

ବନ୍ତଳା, ୧୩ା୫(ଡି.ଏନ.ଏ.) ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ ଶନିବାର ରାତିରେ  ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ତଳଗଡ ଗ୍ରାମର ସଦାନନ୍ଦ ସାହୁଙ୍କ ୨ ଶହ କଲମୀ ଆମ୍ବ ଗଛ ନଷ୍ଟ କରିଛନ୍ତି। ବାରମ୍ବାର ବନ ବିଭାଗକୁ ଖବର ଦେବା ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାରୁ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି। ରବିବାର ଅପରାହ୍ନରେ ସଦାନନ୍ଦ ଘଟଣାସ୍ଥଳରେ ପହଞ୍ଚିଥିବା ଗାର୍ଡ ବଶିଷ୍ଠ ଦେହୁରୀ, ଓ୍ବାଚର ବୁରୁନ୍ଧା ପ୍ରଧାନ, ଶରତ ବେହେରା, ଦୀନବନ୍ଧୁ ଦେହୁରୀଙ୍କୁ ଅଟକ ରଖିଛନ୍ତି। ରେଞ୍ଜର ଓ ଡିଏଫ୍‌ଓ ନ ଆସିଲେ କୌଣସି ସମାଧାନ ନ କଲେ ଛାଡିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ କହିବା ମୁତାବକ, ଭୁବନପୁର ଗ୍ରାମରେ ସେ  ୫ ଏକର ୫୪ ଡେସିମିଲ ଜାଗାରେ ପାଞ୍ଚ ବର୍ଷ ପୂର୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୩ ଶହ କଲମୀ ଆମ୍ବଗଛ ଲଗାଇଥିଲେ। ବର୍ତ୍ତମାନ ଆମ୍ବ ଫଳି ଆସିଥିବା ବେଳେ ହାତୀପଲ ଗଛ ନଷ୍ଟ କରିଦେଇଛନ୍ତି। ତେଣୁ ତୁରନ୍ତ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ବନ୍ତଳା ରେଞ୍ଜର ଡିଲେଶ୍ୱର ପ୍ରଧାନ କୁହନ୍ତି, ହାତୀ ଘଉଡାଇବା ପାଇଁ ପାଟ୍ରୋଲିଂ କରାଯାଉଛି। ଆମ୍ବ ଗଛ ନଷ୍ଟ କରିଥିବା ନେଇ ଘଟଣା ସ୍ଥଳକୁ ଗାର୍ଡକୁ ତଦନ୍ତ କରିବା ପାଇଁ ପଠାଯାଇଥିଲା। ହେଲେ ବନ କର୍ମଚାରୀଙ୍କୁ ସେମାନେ ଅଟକ ରଖିଥିବା ଖବର ମିଳିଛି। ସେମାନେ ଅଭିଯୋଗ କଲେ କ୍ଷତିପୂରଣ ଦିଆଯିବ। ଏଥିସହିତ ଜମିର ପଟ୍ଟା, ବ୍ୟାଙ୍କ ପାସ୍‌ବୁକ ଦେବାକୁ ପଡିବ। କିନ୍ତୁ କ୍ଷତିଗ୍ରସ୍ତଙ୍କୁ କୁହାଗଲେ ମଧ୍ୟ ସେମାନେ ଅଭିଯୋଗ କରୁନାହାନ୍ତି। ଘଟଣାସ୍ଥଳକୁ ଯାଇ ସମାଧାନ କରାଯିବ ବୋଲି ସେ କହିଛନ୍ତି।