Categories: ଅପରାଧ

ଭୁବନରେ ନକଲି ମଦ ତିଆରି କାରଖାନା ଠାବ: ବିପୁଳ ପରିମାଣର ସାମଗ୍ରୀ ଜବତ, ୪ ଅଭିଯୁକ୍ତ ଗିରଫ

ଭୁବନ, ୨୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ଭୁବନ ଏନ୍‌ଏସିର ୩ ନଂ ଓାର୍ଡରୁ ବିପୁଳ ପରିମାଣର ନକଲି ମଦ, ସାମଗ୍ରୀ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ, ଉକ୍ତ ଓ୍ବାର୍ଡ ଅଞ୍ଚଳ ନୂଆ ଭୁବନରେ ଦୀର୍ଘଦିନ ଧରି ନକଲି ବିଦେଶୀ ମଦ ତିଆରି କରାଯାଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ଏ ନେଇ ଖବର ପାଇ ଢେଙ୍କାନାଳ ଜିଲା ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ସେଠୀ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗ ମୋବାଇଲ ଇନ୍ସପେକ୍ଟର ରାଜ ଶେଖର ସାଇଁ, ସଦର ଇନ୍ସପେକ୍ଟର ଶମୀର କୁମାର ମହାନ୍ତି, କାମାକ୍ଷାନଗର ସବ୍‌ ଇନ୍ସପେକ୍ଟର ସପ୍ନାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅବକାରୀ ଏଏସ୍‌ଆଇ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ବିଶ୍ୱନାଥ ରଥ, ତାରାକାନ୍ତ ନାୟକ, ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ। ଭୁବନ ଥାନା ଅଧିକାରୀ ର୍ନିମଳା ଗୋଛାୟତଙ୍କ ମୁଖ୍ୟ ଭୂମିକା ଥିଲା। ଚଢ଼ାଉ କରି ୬୫୦ଲିଟର ସ୍ପିରିଟ, ୮୦୦ ଟଲ ନକଲି ରମ୍‌ ମଦ ବୋତଲ, କ୍ୟାମେଲ ୬ କେଜି, ୨ଟି ମଦ ତିଆରି ମେଶିନ, ଷ୍ଟିକର ୮୦୦୦ ପିସ୍‌, ନକଲି କମ୍ପାନୀ ଲେବୁଲ୍‌ ୨୫୦୦ ପିସ ଏବଂ ବ୍ୟବହାର ହେଉଥିବା କାର୍‌କୁ ଜବତ କରାଯାଇଥିଲା। ସମସ୍ତ ନକଲି ମଦ ଓ ସରଞ୍ଜାମ ଏନ୍‌ଏସି ନୂଆ ଭୁବନ ୩ ନଂ ଓାର୍ଡର ଲକ୍ଷ୍ମୀଧର ସାହୁ (୫୨) ଙ୍କ ଘରୁ ଜବତ କରାଯାଇଥିବା ବେଳେ କପିଳ ସାହୁ (୨୫)ଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। କାର ଭିତରୁ ମଦ ଜବତ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକ ଠାରୁ ସମସ୍ତ ତଥ୍ୟ ମିଳିବା ପରେ ତାଙ୍କୁ ସମସ୍ତ ସାମଗ୍ରୀ ଯୋଗାଉଥିବା ଭୁବନ ପାଲା ମଣ୍ଡପ ୦୯ ନଂ ଓ୍ବାର୍ଡ ଅଞ୍ଚଳର ଶରତ କୁମାର ସାହୁ (୩୩) ଓ ରଞ୍ଜନ କୁମାର ସାହୁ (୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୨୫/୨୦୧୯ ମାମଲା ରୁଜୁ କରାଯାଇଛି।