ଭୁବନେଶ୍ୱରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର : ଖରାପ ସେବାକୁ ନେଇ ଟୁଇଟରରେ ପ୍ରତିକ୍ରିୟା

ଭୁବନେଶ୍ୱର,୯ା୯(ବ୍ୟୁରୋ) : ଏସିଆ-ପାସିଫିକ୍‌ ରିଜିଅନର ୨ରୁ ୫ ମିଲିୟନ ବର୍ଗରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର -୨୦୧୮ ପୁରସ୍କାର ମିଳିଛି। ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଷଦ ଓ ଏଏସ୍‌କ୍ୟୁ (ଆମେରିକାନ ସୋସାଇଟି ଫର୍‌ କ୍ୱାଲିଟି) ପକ୍ଷରୁ ‘ଗ୍ରାହକ ଅଭିଜ୍ଞତା’ କାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିବା ଅବସରରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ବର୍ଗରେ ଏସିଆ-ପାସିଫିକ୍‌ର ୬ବିମାନ ବନ୍ଦରକୁ ଏହି ବିଶ୍ୱସ୍ତରୀୟ ଏଏସ୍‌କ୍ୟୁ ପୁରସ୍କାର ମିଳିଥିବାବେଳେ ଭାରତର ୩, ଇଣ୍ଡୋନେସିଆର ୨ ଓ ଚାଇନାର ୧ ବିମାନବନ୍ଦର ରହିଛି। ଭାରତର ପୁରସ୍କୃତ ବିମାନବନ୍ଦରଗୁଡ଼ିକ ହେଲା ଭୁବନେଶ୍ୱର, ଚଣ୍ଡିଗଡ଼ ଓ ଇନ୍ଦୋର। ତେବେ ଟୁଇଟ୍‌ର କିଛି ସମୟ ମଧ୍ୟରେ କିଛି ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପୁରସ୍କାର ପାଇବା ଲାଗି କ’ଣ ମାନଦଣ୍ଡ ରହିଛି? ଯାତ୍ରୀଙ୍କୁ ଠିକ୍‌ରେ ସେବା ଯୋଗାଇପାରୁ ନ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କେମିତି ଏହି ପୁରସ୍କାର ମିଳିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।