ଭୁବନେଶ୍ୱରକୁ ୫୦ ଇ-ବସ୍‌ ଦେବ କେନ୍ଦ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ୍‌ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ୫୫୯୫ ବିଦ୍ୟୁତ୍‌ ଚାଳିତ ବସ୍‌ (ଇ-ବସ୍‌) ଚଳାଚଳ ପାଇଁ ମଞ୍ଜୁରି ମିଳିଛି। ସହର ଭିତରେ ଓ ଗୋଟିଏ ସହରରୁ ଅନ୍ୟ ସହରକୁ ଏହି ବସ୍‌ଗୁଡ଼ିକ ଚଳାଚଳ କରିବ। ୬୪ ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ(ଏସ୍‌ଟିୟୁ) ଲାଗି ଏହି ବସ୍‌ଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ସ୍ବଚ୍ଛ ଇନ୍ଧନ ବିଶିଷ୍ଟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଏହି ଯୋଜନା ଅଧୀନରେ ଭୁବନେଶ୍ୱରରେ ୫୦ ବିଦ୍ୟୁତ ଚାଳିତ ବସ୍‌ ଚଳାଚଳ କରିବ। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁ ଏହି ବସ୍‌ ମିଳିଛି।
ଭାରୀ ଉଦ୍ୟୋଗ ବିଭାଗ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟ ସିଟି, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ବତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଏକ୍ସପ୍ରେଶନ ଅଫ୍‌ ଇଣ୍ଟ୍ରେଷ୍ଟ(ଇଓଆଇ) ଆମନ୍ତ୍ରଣ କରିଥିଲା। ୧୪ହଜାର ୯୮୮ ଇ-ବସ ଚଳାଚଳ ଲାଗି ୨୬ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ୮୬ ପ୍ରସ୍ତାବ ମିଳିଥିଲା।

Share