Categories: ଖେଳ

ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ, ଶିଭମଙ୍କୁ ସୁଯୋଗ

କୋଲକାତା, ୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ଓ ଏକଦିବସୀୟ କ୍ରିକେଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆହତ ସମସ୍ୟାରୁ ମୁକୁଳିଥିବା ଭୁବନେଶ୍ୱର କୁମାର ଉଭୟ ସିରିଜ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବାଂଲାଦେଶ ବିପକ୍ଷ ଟି୨୦ରେ ଖେଳି ନ ଥିବା ଅଧିନାୟକ ବିରାଟ କୋହଲି ପୁଣି ଦାୟିତ୍ୱକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି୨୦ରେ ଖେଳିଥିବା ଅଲରାଉଣ୍ଡର ଶିଭମ୍‌ ଦୁବେ ପ୍ରଥମଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ତାରକା ଦ୍ରୁତ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି। ସେ ବାମହାତୀ ପେସର ଖଲିଲ ଅହମଦଙ୍କ ସ୍ଥାନ ନେଇଛନ୍ତି। ସେହିପରି କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି।
ଗତ ଅଗଷ୍ଟରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବାବେଳେ ଦ୍ରୁତ ବୋଲର ଭୁବନେଶ୍ୱର ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ଯୋଗୁ ଦଳଠାରୁ ବାହାରେ ରହିଥିଲେ। ଫିଟ୍‌ ଘୋଷିତ ହେବାପରେ ସେ ଦଳକୁ ଫେରିଛନ୍ତି। ଭଲ ଫର୍ମରେ ନ ଥିଲେ ହେଁ ଶିଖର ଧାଓ୍ବନଙ୍କ ଉପରେ ଚୟନକର୍ତ୍ତା ପୁଣି ଆସ୍ଥା ସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ମୟଙ୍କ ଅଗ୍ରଓ୍ବାଲ ଟେଷ୍ଟ ସିରିଜରେ ଚମତ୍କାର ଫର୍ମରେ ଥିଲେ ହେଁ ସୀମିତ ଓଭର ପାଇଁ ଦଳରେ ସ୍ଥାନ ପାଇ ନାହାନ୍ତି। ସେହିପରି ରୋହିତ ଶର୍ମା କ୍ରମାଗତ ଖେଳି ଆସୁଥିଲେ ହେଁ ତାଙ୍କୁ ବିଶ୍ରାମ ଦିଆ ଯାଇନାହିଁ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ୩ଟି ଟି୨୦ ମୁମ୍ବାଇ(ଡିସେମ୍ବର ୬), ଥିରୁଭାନନ୍ତପୁରମ(୮) ଓ ହାଇଦ୍ରାବାଦ(୧୧)ରେ ଖେଳିବ। ସେହିପରି ୩ଟି ଦିନିକିଆ ଯଥାକ୍ରମେ ଚେନ୍ନାଇ, ବିଶାଖାପାଟଣା ଓ କଟକରେ ଡିସେମ୍ବର ୧୫, ୧୮ ଓ ୨୨ରେ ଅନୁଷ୍ଠିତ ହେବ।
ଭାରତୀୟ ଟି୨୦ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ରବୀନ୍ଦ୍ର ଜାଡେଜା, ଶିଭମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଦୀପକ ଚହର, ଭୁବନେଶ୍ୱର କୁମାର, ଓ୍ବାଶିଂଟନ ସୁନ୍ଦର।
ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, କେଦାର ଯାଦବ, ଶ୍ରେୟାସ ଆୟାର, ରବୀନ୍ଦ୍ର ଜାଡେଜା, ଶିଭମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଦୀପକ ଚହର, ଭୁବନେଶ୍ୱର କୁମାର।

Share