ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଡିଜିଟାଲ ଘର ନମ୍ବର

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜଧାନୀରେ ଡିଜିଟାଲ ଡୋର୍‌ ନମ୍ବରିଂ ସିଷ୍ଟମ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସହରର ପ୍ରତି ଲୋକଙ୍କ ଘରେ ଡିଜିଟାଲ ନମ୍ବର ବୋର୍ଡ ଲଗାଇବାକୁ ବିଏମ୍‌ସି ପକ୍ଷରୁ ବୁଧବାର ନବଯୁଗ ସ୍ପାସିଆଲ ଟେକ୍ନୋଲୋଜିସ୍‌ ଆଣ୍ଡ୍‌ ଜିପର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଟିକସ ଫାଙ୍କି ଯୋଗୁ ପ୍ରତିବର୍ଷ ବିଏମ୍‌ସି ୫୦ରୁ ୬୦ କୋଟି ଟଙ୍କାର କ୍ଷତି ସହୁଥିଲା। ଟିକସ ଫାଙ୍କୁଥିବା ଲୋକ ଏବଂ ସଂସ୍ଥାଗୁଡ଼ିକ ଉପରେ ନଜର ରଖିବାକୁ ୬ମାସ ତଳେ ବିଏମ୍‌ସି ପକ୍ଷରୁ ଏଭଳି ଏକ ଅଭିନବ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଥିଲା। ଏଣିକି ବ୍ୟକ୍ତିଗତ ଘର ସହ ସମସ୍ତ ବ୍ୟବସାୟିକ ବିଲ୍ଡିଂରେ ଡିଜିଟାଲ ନମ୍ବର ବୋର୍ଡ ଲଗାଯିବ। ଫଳରେ ହୋଲ୍ଡିଂ ଟିକସ ଫାଙ୍କୁଥିବା ବ୍ୟକ୍ତି ଏବଂ ବ୍ୟବସାୟୀ ଆଉ ଟିକସ ଫାଙ୍କିପାରିବେ ନାହିଁ। ଏଥିସହ ସହରର ସମସ୍ତ କୋଠାର ତଥ୍ୟ ଗୁଗଲ୍‌ ମ୍ୟାପ୍‌ରେ ରହିବ।

Share