ଭୁବନେଶ୍ୱରରେ ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ୍‌

ଭୁବନେଶ୍ୱର,୨୭-୧୧(ବ୍ୟୁରୋ)/କଟକ(ଅଫିସ):ବଢ଼ି ଚାଲିଥିବା ସାଇବର ଅପରାଧ ଏବେ ପୋଲିସର ଚିନ୍ତା ବଢ଼ାଇଛି। ତେଣୁ ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ସୋସିଆଲ ମିଡିଆ ମନିଂଟରିଂ ସେଲ୍‌ ଖୋଲିବାକୁ ଯାଉଛି। ସାରା ରାଜ୍ୟର ସୋସିଆଲ ମିଡିଆ ଉପରେ ଏହା ନଜର ରଖିବ। କୌଣସି ଗୁଜବ ଓ ଅନ୍ୟ ଆପରାଧିକ କାର୍ଯ୍ୟ ସୂଚନା ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଇବର ଅପରାଧ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି। ୨୦୨୦ ସୁଦ୍ଧା ରାଜ୍ୟର ଆଉ ଏକ ହଜାର କନ୍‌ଷ୍ଟେବଳ ଓ ସବ୍‌ ଇନ୍ସପେକ୍ଟରଙ୍କୁ ସାଇବର ଟ୍ରେନିଂ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ରେଞ୍ଜରେ ଏପର୍ଯ୍ୟନ୍ତ ୩୪୦ଜଣ କନ୍‌ଷ୍ଟେବଳ ଓ ଏସ୍‌ଆଇ ଦୁଇଟି ଫେଜ୍‌ରେ ଏହି ଟ୍ରେନିଂ ନେଇଛନ୍ତି। ବାଲେଶ୍ୱର, ବ୍ରହ୍ମପୁର, କୋରାପୁଟ, ସେଣ୍ଟ୍ରାଲ ରେଞ୍ଜ୍‌ କଟକ ଓ କମିଶନରେଟ ପୋଲିସରେ ମଧ୍ୟ ଡିସେମ୍ବର ସୁଦ୍ଧା ଟ୍ରେନିଂ ଦିଆଯିବ। ଦୁଇଜଣ ସାଇବର କନ୍‌ସଲଟାନ୍ସି ବିଭିନ୍ନ ଜିଲାରେ ଥିବା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିପାରିବେ। ସେହିପରି ଅନ୍‌ଲାଇନ୍‌ରେ ଅଭିଯୋଗ ପାଇଁ ନ୍ୟାଶନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୧୬ ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ଜିଲାର ଏସ୍‌ପିଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Share