ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜଧାନର ଇସ୍କନ ମନ୍ଦିର ସମେତ ଓୟୁଏଟି, କୋଳଥିଆ ଏବଂ ଜାଗମରା ଆଦି ସ୍ଥାନରେ ଥିବା ପ୍ରମୁଖ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ଇସ୍କନ ମନ୍ଦିର ପ୍ରଶାସନର ସୂଚନା ମୁତାବକ, ଇସ୍କନର ପ୍ରସାଦ ହଲ୍‌କୁ ଗୁଣ୍ଡିଚା ମନ୍ଦିରର ରୂପ ଦିଆଯିବ। ପହଣ୍ଡି କରି ତିନି ଠାକୁରଙ୍କୁ ସିଂହାସନକୁ ନିଆଯିବ। ଠାକୁର ୯ଦିନ ସେଠାରେ ରହି ବାହୁଡ଼ାରେ ପୁଣିଥରେ ପହଣ୍ଡିରେ ମୁଖ୍ୟ ମନ୍ଦିରକୁ ଫେରିବେ। କୋଳଥିଆ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପହଣ୍ଡି କରି ମନ୍ଦିର ପଛପଟେ ଥିବା ହଲ୍‌କୁ ନିଆଯିବ। ଓୟୁଏଟି ଜଗନ୍ନାଥ ମନ୍ଦିରରେ ମଙ୍ଗଳଆଳତି ସହ ଖେଚୁଡ଼ି ଭୋଗ ଲାଗୁହେବା ପରେ ପୂର୍ବାହ୍ନ ୧୧ଟା ୩୦ରେ ପହଣ୍ଡି କରାଯାଇ ଠାକୁରଙ୍କୁ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ମଣ୍ଡପକୁ ନିଆଯିବ। ଏଥିଲାଗି ୧୦ଜଣ ସେବାୟତ ଏବଂ ଘଣ୍ଟୁଆ ରହିବେ। ପାଚେରୀ ବାହାରେ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାପାଇଁ ମନ୍ଦିର କର୍ତ୍ତୃପକ୍ଷ ଜଗିରହିବେ। କିଟ୍‌ ଶ୍ରୀବାଣୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଭୋର ୩ଟାରୁ ଠାକୁରଙ୍କ ରଥଯାତ୍ରା ନୀତି ଆରମ୍ଭ ହେବ। ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ଜନ୍ମବେଦୀକୁ ଠାକୁରଙ୍କୁ ନିଆଯିବା ସହ ଗୁଣ୍ଡିଚା ମନ୍ଦିର ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେବ। ଏପଟେ ଜାଗମରାରେ ଥିବା ଜଗନ୍ନାଥ ମନ୍ଦିର ଭିତରେ ଥିବା ଦେବସ୍ନାନ ମଣ୍ଡପକୁ ଜନ୍ମବେଦୀ କରାଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।

Share